କାର୍ ଲୁଟ ଉଦ୍ୟମ ଘଟଣା, ୩ ଗିରଫ, ୧ ଫେରାର୍, ପିସ୍ତଲ ଓ ଗୁଳି ଜବତ

ବୁଗୁଡ଼ା (୧୪/୦୯) : ବ୍ରହ୍ମପୁର ଯିବେ କହି କାର୍ ଭଡା କରି କାରରେ ଚଡିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ କାର ଲୁଟି ନେବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣା ପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଲନ୍ଥରା ଥାନା ଅନ୍ତର୍ଗତ କନିଷି ଗଣେଶ ନଗରର ନିରଞ୍ଜନ ସେଠି(୩୬ ), ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଭଗବାନ ପ୍ରଧାନ ଓରଫ ଆଦିତ୍ୟ (୨୯ ) ଓ ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମର ପ୍ରଭାକର ପ୍ରଧାନ ଓରଫ ସାଗର (୪୦) l ପୋଲିସ ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ତିନିଟି ଜୀବନ୍ତ ଗୁଳି, ୩ ଟି ମୋବାଇଲ ଓ ଗୋଟିଏ ଖୁର ଜବତ କରିଛି l ପ୍ରଭାକର ନାଁରେ ବିଭିନ୍ନ ଥାନାରେ ଲୁଟ, ରାହାଜାନି, ଏଟିଏମ ଲୁଟ ଭଳି ୧୫ ଟି ମାମଲା ଥିବା ବେଳେ ଭଗବାନ ନାଁରେ ଚୋରି ମାମଲା ଓ ନିରଞ୍ଜନ ନାଁରେ ଜବରଦସ୍ତ ଚାନ୍ଦା ଆଦାୟ ମାମଲା ରହିଥିବା ଜଣା ପଡିଛି l ପୋଲିସ ଏନେଇ କେସ ନଂ ୫୨୧ /୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି l ପ୍ରକାଶ ଥାଉକି ନୟାଗଡ଼ ଥାନା ଆନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ଗ୍ରାମର କାର ଚାଳକ ନରୋତ୍ତମ ନାୟକ ନିଜ ଇଣ୍ଡିଗୋ କାର(ଓଆର-୨୫ସି ୨୭୪୪)କୁ ରଖି ନୟାଗଡ ବସଷ୍ଟାଣ୍ଡ ନିକଟରେ ଥିବା ବେଳେ ୪ ଜଣ ଦୁର୍ବୁତ୍ତ ସକାଳ ସମୟରେ ବ୍ରହ୍ମପୁର ଯିବା ପାଇଁ ଭଡାରେ ନେଇ ଆସୁଥିଲେ । ରାସ୍ତାରେ କୋମଣ୍ଡ ଠାରେ ସେମାନେ ମଦ୍ୟପାନ କରିଥିଲେ l ସେଠାରୁ ଆସୁଥିବା ବେଳେ ପ୍ରାୟ ଦିନ ୧୧ଟା ସମୟରେ କରଚୁଲି ନିକଟରେ ଜଣେ ବାନ୍ତି କରିବାରୁ ଡ୍ରାଇଭର ଗାଡିକୁ ସାଇଡ କରି ରଖିବା ସହ ପାଣି ବୋତଲ ମଧ୍ୟ ବଢ଼ାଇ ଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୁତ୍ତ ହଠାତ ଏକ ବନ୍ଧୁକ ବାହାର କରି ନରୋତ୍ତମଙ୍କ ମୁଣ୍ଡରେ ଲଗାଇ ଗାଡି ଚାବି ଛଡାଇ ନେଇଥିଲେ ଏବଂ ତାଙ୍କର ମୋବାଇଲ ଛଡାଇ ନେବାକୁ ଉଦ୍ୟମ କଲା ବେଳେ ସେ ପ୍ରାଣ ଭୟରେ ଦୌଡ଼ି ପଳାଇଥିଲେ । ଏ ନେଇ ପୋଲିସ ହେଲ୍ପ ଲାଇନ ୧୧୨କୁ ଜଣାଇବା ପରେ ପୋଲିସ ଅବିଳମ୍ବେ କରଚୁଲି ଆଡକୁ ଯାଉଥିବା ବେଳେ ପୋଲିସ ଗାଡିକୁ ଦେଖି କରଡ଼ାବାଡ଼ି ପୂର୍ବରୁ ଦଦରାଖୋଲ କେନାଲ ରାସ୍ତାରେ ଗାଡି ଛାଡି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥିଲେ । ବୁଗୁଡ଼ା ପୋଲିସ ଉକ୍ତ ଗାଡିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୋଲିସ ଜାଲ ବିଛାଇ ଛକି ରହିଥିଲେ l ସେମାନେ ରାତିରେ ଖସି ଯିବାକୁ ଉଦ୍ୟମ କଲା ବେଳେ ପୋଲିସ ୩ ଜଣଙ୍କୁ ଧରିଥିଲା ବେଳେ ଅନ୍ୟ ଫେରାର୍ ଅଭିଯୁକ୍ତକୁ ଖୋଜିବା ପ୍ରକ୍ରିୟା ଜାରି ରଖିଛି ।

nis-ad
Leave A Reply

Your email address will not be published.