ଆର୍ଡିଏ ଦୋକାନୀଙ୍କ ସହ ଆରଡିଏ ସମ୍ପାଦକଙ୍କ ବୈଠକ

ରାଉରକେଲା : ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ଆବଣ୍ଟିତ ଦୋକାନ ମାଲିକଙ୍କ ସହ ଆରଡିଏ ସମ୍ପାଦକ ଡ. ଶୁଭଙ୍କର ମହାପାତ୍ରଙ୍କ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାନପୋଷ ସ୍ଥିତ ସଭାଗୃହରେ ଏହି ବୈଠକରେ ବ୍ୟବସାୟୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି କରୋନା ସମୟର ୨ମାସର ଭଡ଼ା ଛାଡ଼ କରିବା ନେଇ ଦୋକାନୀମାନଙ୍କ ପକ୍ଷରୁ ଯେଉଁ ଦାବି ହୋଇଥିଲା ତାହାକୁ ଗ୍ରହଣ କରିଛନ୍ତି ଶ୍ରୀ ମହାପାତ୍ର।
ଏତଦ‌ବ୍ୟତୀତ ଆରଡିଏ ଅଧୀନରେ ଥିବା ୧୩ଟି ମାର୍କେଟ କମ୍ପ୍ଳେକ୍ସର ମରାମତି ଓ ସୌନ୍ଦର୍ଯ୍ୟକରଣ ଦାବିକୁ ମଧ୍ୟରୁ ଆରଡିଏ ପକ୍ଷରୁ ଗ୍ରହଣ କରାଯାଇଛି। ଏହାସହିତ ଯେଉଁମାନେ ଘରେ ଦୋକାନ କରିଛନ୍ତି ତାହାକୁ ମଧ୍ୟ ବନ୍ଦ କରାଯିବ। ଓଡିଏର ୨୦୧୯ ନିୟମ ଅନୁଯାୟୀ ଏ ନେଇ ରାଉରକେଲା ମହାନଗର ନିଗମ (ଆରଏମ‌ସି)କୁ କ୍ଷମତା ହସ୍ତାନ୍ତର ହୋଇଥିବା ବେଳେ ଆରଡିଏ ଓ ଆରଏମସିକୁ ନେଇ ଏକ ଟିମ୍‌ ଗଠନ ହୋଇ ଏହି କାର୍ଯ୍ୟ କରିବେ।
ସେହିଭଳି ଯେଉଁମାନେ ଅନୁମତି ନନେଇ ଦୋକାନ ସମ୍ପ୍ରସାରଣ କରିଛନ୍ତି ସେହି ଜାଗାକୁ ଭଙ୍ଗାଯିବ। ଦୋକାନକୁ ଲାଗି ସାମ୍ନା ପଟକୁ ବାରଣ୍ଡା କରିବାକୁ କେବଳ ୪ଫୁଟର ଜାଗା ଦିଆଯିବ ବୋଲି ବୈଠକରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆରଡିଏ ନିକଟରେ ଭଡ଼ା ପଇଠ ସତ୍ତ୍ବେ ୨ରୁ ୩ ମାସ ଯାଏଁ ଦୋକାନ ବନ୍ଦ ହେଲେ ସମ୍ପୃକ୍ତ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ।
ସବୁ ମାର୍କେଟ କମ୍ପ୍ଳେକ୍ସର ହୋଡିଂ ଗୋଟିଏ ପ୍ରକାର ହେବ। ଆରଡିଏ ପକ୍ଷରୁ ଦୋକାନୀଙ୍କ ପାଇଁ ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା କରାଯିବ। ଯାହାର ରକ୍ଷଣାବେକ୍ଷଣ କାର୍ଯ୍ୟ ସେଠାକାର ଦୋକାନୀ କରିବେ। ମାର୍କେଟ କମ୍ପ୍ଳେକ୍ସ ଅଞ୍ଚଳରେ ବିଶେଷ କରି ଜଳଖିଆ ଓ ହୋଟେଲ ଦୋକାନୀମାନେ ଅଳିଆ ଆବର୍ଜନା ସଫା କରୁନଥିବାରୁ ସେମାନଙ୍କୁ ତାଗିଦ କରାଯାଇଛି। ଏଭଳି କରୁଥିବା ଆରଡିଏ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାଇ ଦିଆଯାଇଥିଲା। ତେବେ ଆଜିର ବୈଠକରେ ୨୦୨୦ ମସିହା ମାର୍ଚ୍ଚ ଓ ଅପ୍ରେଲ ମାସର ଭଡ଼ା ଛାଡ଼ କରାଯାଇଥିବା ଆରଡିଏ ବ୍ୟବସାୟୀ ସଂଘ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜରି ଏହି ବୈଠକରେ ଆରଡିଏର ଦୋକାନ ମାଲିକ ସଂଘର ସଭାପତି ବିଜୟ ପ୍ରଧାନ, ସମ୍ପାଦକ ଦେବେନ୍ଦ୍ର ପରିଜାଙ୍କ ସମେତ ଆରଡିଏ ଓ ଆରଏମ‌ସିର ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.