ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ବୌଦ୍ଧ: ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ କିଛି ନକଲି ଶିକ୍ଷକଙ୍କ ନାମରେ ଏତଲା ଦିଆଯାଇଥିଲେ ମଧ ଠିକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।

ବାରମ୍ବାର ଅଭିଯୋଗ ପରେ ଜିଲା ଶିକ୍ଷା ବିଭାଗର ଚେତା ପଶିଛି। ଏନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଉଦୟନାଥ ମାଝି ଜଣେ ନକଲି ଶିକ୍ଷକଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୌଦ୍ଧ ଥାନା ପକ୍ଷରୁ ଏକ ମାମଲା (ନଂ.୨୨୬/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ନୟାଗଡ ଜିଲା ବଳଭଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନିଶାଙ୍କ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ହାଟଗାଁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୧୩ରୁ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ।

ସେ ଚାକିରି କରିବା ସମୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ବିଶ୍ୱବିଦ୍ୟାଳୟର ବିଇଡି ସାର୍ଟିଫିକେଟ ଦେଇ ଚାକିରି ପାଇଥିଲେ। କିନ୍ତୁ ତାଙ୍କର ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ଡିଇଓ ମାଝି ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଶିକ୍ଷକ ନିଶାଙ୍କଙ୍କୁ ଶୁକ୍ରବାର ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଜିଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ମାମଲା ହୋଇଥିବା କହିଥିଲେ। ଶିକ୍ଷକ ଜଣକ ଆନ୍ଧ୍ରପ୍ରଦେଶରେ ଏକ ନକଲି ବିଇଡି ସାର୍ଟିଫିକେଟ ଦେଇଥିବା ନେଇ କହିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଥିଲେ।

nis-ad
Leave A Reply

Your email address will not be published.