‘ଦୟା’ ବଢ଼ାଉଛି କଣାସବାସୀଙ୍କ ଦୁର୍ଦ୍ଦଶା

ପୁରୀ: ଚଳିତ ପ୍ରଳୟଙ୍କାରୀ ବନ୍ୟା ଦୟା ନଦୀରେ ବିପଦ ସଙ୍କେତ ବହୁ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟାକି୍ଳଷ୍ଟ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୟା ନଦୀର କଣାସଠାରେ ବିପଦ ସଂକେତ ୩.୯୯ମି.ମି ଥିବାବେଳେ ଆଜି ୫.୫୭ମିମିରେ ଜଳ ପ୍ରବାହିତ ହେଉଛି । ବିଗତ ବନ୍ୟାରେ ସର୍ବୋଚ୍ଚ ୫.୪୭ ମିମି ରେକର୍ଡ ଥିବାବେଳେ ତାକୁ ବଳିଯାଇ ୦.୧୦ମି.ମି ଅଧିକ ହୋଇଥିବା ଜଣାପଡ଼ିଛି ।

ମକରା ଓ ରାଜୁଆ ନଦୀରେ ୨ଟି ବଡ଼ଧରଣର ଘାଇ ସ୍ଥିତିକୁ ଦୁଇଗୁଣିତ କରିଛି । ଫଳରେ ଅଞ୍ଚଳରେ ଜଳସ୍ତର କମିବାରେ ନା ଧରୁନି । ମକରା ନଦୀ ଘାଇ ଦ୍ୱାରା କଦୁଆ, ସାହୁପଡ଼ା, ବକୁ, ଗଡ଼ବଳଭଦ୍ରପୁର, ଦୋକନ୍ଦା ପଞ୍ଚାୟତର ଅନେକ ଗ୍ରାମ ୪ଦିନ ହେଲା ବୁଡ଼ି ରହିଥିବାବେଳେ ଭାଟପଡ଼ାଠାରୁ ସିରିଆପଡ଼ା ରାସ୍ତା ବୁଡ଼ି ବଡ଼ାଲ ପଞ୍ଚାୟତକୁ ବନ୍ୟାଜଳ ପ୍ରବେଶ କରୁଛି ।

ଅନେକଙ୍କ ଘରଭିତର ବନ୍ୟା ଜଳ ପଶିଯାଇଥିବାରୁ ପରିବାର ଖଟ ଉପରେ ବସି ରହିଥିବାବେଳେ ଚୁଲି ଜଳୁ ନାହିଁ । ବ୍ଲକ୍ ପ୍ରଶାସନ ପକ୍ଷରୁ ଚୁଡ଼ା, ଗୁଡ଼ ଓ କେତେକ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଥିଲେ ମଧ୍ୟ ଅନେକ ବନ୍ୟା କ୍ଳିଷ୍ଟ ପରିବାର ପାଖରେ ପହଞ୍ôଚପାରୁନଥିବା ଅଭିଯୋଗ କରିଛନ୍ତି । ରାଜୁଆ ନଦୀରେ ଘାଇ ହେବା ଫଳରେ ଗଡ଼ସାନପୁଟ ପଞ୍ଚାୟତର ଲୋକାପାଳ, ହଳଦିଆପଡ଼ା, ଢୋଲପାଟଣା, ମନ୍ଦାରବସ୍ତ ହରିଜନ ଶାହି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଦୟା ଓ ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, କଦଳୀଦଣ୍ଡା, ବାଲିପାଟଣା, ତରପଡ଼ା, ବଡ଼ାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ସବଳଙ୍ଗ, ଗଡ଼ବଳଭଦ୍ରପୁର ୯ଦିନ ହେଲା ବନ୍ୟା ଘେରରେ ରହିଛନ୍ତି । କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ହେଉଥିବା ବନ୍ୟାଜଳ ଡେଲାଙ୍ଗ ଓ କଣାସ ବ୍ଲକ୍‌ର ଅନେକ ପଞ୍ଚାୟତକୁ ବୁଡ଼ାଇ ରଖିଛି । କଣାସ ବ୍ଲକ୍‌ର ତ୍ରିଲୋଚନପୁର, ସିରେଇ, ଗଡ଼ଶାହି, ବିଜିପୁର, ଅଣ୍ଡାଳସିଂହ, ବିନ୍ଧଣ ପଞ୍ଚାୟତର ଅନେକ ଗ୍ରାମ ବନ୍ୟାଜଳରେ ବୁଡ଼ିରହିଛି । ମକରା ନଦୀର ଘାଇରେ ପଶୁଥିବା ବନ୍ୟାଜଳକୁ ନିଷ୍କାସନ କରିବା ପାଇଁ ଆଜି କାଦୁଆଘାଟ ବିଟ ଘରଠାରେ କେତେକ ବ୍ୟକ୍ତି ଜେସିବି, ଶାବଳ ଲଗାଇ ନଦୀବନ୍ଧକୁ କାଟିଥିବା ଜଣାପଡ଼ିଛି ।

ଘାଇ କାଟି ବନ୍ୟାଜଳ ତଳସ୍ତର ମକରା ନଦୀକୁ ନିଷ୍କାସନ ହେବାଫଳରେ ମକରା ନଦୀର ବାମ ପାଶ୍ୱର୍ରେ କଉଡ଼ିଖଣିଠାରୁ ସାହସପୁର ଓ ସାହସପୁର ଠାରୁ ଅଡାଲ ସେତୁ ପର୍ଯ୍ୟନ୍ତ ବିପଦ ବଢ଼ିଯାଇଛି । ସ୍ଥାନେ ସ୍ଥାନେ ନଦୀ ବନ୍ଧ ବୁଡ଼ି ଗହୀର ମଧ୍ୟକୁ ଜଳ ପ୍ରବେଶ କରୁଥିବାରୁ ବାଲିବସ୍ତା ଦେଇ ଲୋକମାନେ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ଆଜି ଭୁବନେଶ୍ୱରର ପୂର୍ବତନ ସାଂସନ ପ୍ରସନ୍ନ ପାଟ୍ଟଶାଣୀ ବନ୍ୟା ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧା ବୁଝିଥିବା ଜଣାପଡ଼ିଛି । କଣାସ ବ୍ଲକ୍‌ର ୧୦ଟି ପଞ୍ଚାୟତର ୪୪ଟି ଗ୍ରାମର ୩୧୫୪୭ ଜଣ ଲୋକ ବନ୍ୟା ଘେରରେ ରହିଥିବାବେଳେ ସେମାନଙ୍କୁ ୨୨ ସ୍ଥାନରେ ରନ୍ଧାଯାଇ ଖାଦ୍ୟ ଦିଆଯାଉଛି । ୩୬୭ କ୍ୱିଣ୍ଟାଲ ୭୧ କେଜି ଚୁଡ଼ା ଓ ୨୦ କ୍ୱିଣ୍ଟାଲ ଗୁଡ଼, ୨୬ ହଜାର ପାଣି ବୋତଲ, ୧୩ ମେଟ୍ରିକ ଟନ ୭୦ କେଜି ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ୪୨ ଡଙ୍ଗା ୬ଟି ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିବା ବିଡିଓ ଲୋଚନ ଦାସଙ୍କ ଠାରୁ ପ୍ରକାଶ । ମାତ୍ର ୧୦/୧୫ ଟି ଡଙ୍ଗା ନଦୀରେ ବୁଲୁଥିବା ଓ ଅନେକଙ୍କ ପାଖରେ ଖାଦ୍ୟ ପହଞ୍ôଚନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.