ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ…

ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି କଲେ ସମୀକ୍ଷା

ସୁନ୍ଦରଗଡ଼/ ବଣାଇଁ, : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ବୁଧବାର ଦିନ ସେ ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକ ଗସ୍ତ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି।

ପ୍ରକଳ୍ପସ୍ଥଳ ବୁଲି ଦେଖିବା ପରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକଗୁଡ଼ିଏ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବଣାଇଁ ବ୍ଲକର ଝିର୍ଡପାଲ୍ଲୀଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରିଯାନ ଚାଳନା ତାଲିମ ପ୍ରତିଷ୍ଠାନ ନିର୍ମାଣ କରାଯାଉଛି। ଶ୍ରୀ ତ୍ରିପାଠୀ ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଗାଡ଼ି ଚାଳକଙ୍କୁ ତାଲିମ ଦେବା ପାଇଁ ଏହି କେନ୍ଦ୍ରରେ କ’ଣସବୁ ବ୍ୟବସ୍ଥା କରାଯାଉଛି ତାହା ଅନୁଧ୍ୟାନ କରିଥିଲେ। ତା’ଛଡ଼ା ଏହି ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ଲାଗି ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ କେନ୍ଦ୍ର କରାଯାଇଛି। ଶ୍ରୀ ତ୍ରିପାଠୀ ବଣାଇଁସ୍ଥିତ ସୁଦକ୍ଷ କେନ୍ଦ୍ର ପରିଦର୍ଶନ କରି ତାଲିମ ବିଷୟରେ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ନିଯୁକ୍ତି କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରୁଥିବାରୁ ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ସେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ପରିଚାଳିତ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି କେନ୍ଦ୍ରରେ ଦିଆଯାଉଥିବା ତାଲିମ ବିଷୟରେ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହ ଦେଖାଉଛନ୍ତି ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ଆଷ୍ଟ୍ରୋ ଟର୍ଫ ପଡ଼ିଆ ନିର୍ମାଣ କରାଯାଉଛି। ଶ୍ରୀ ତ୍ରିପାଠୀ ବଣାଇଁଠାରେ ଚାଲିଥିବା ଅଷ୍ଟ୍ରୋ ଟର୍ଫ ପଡ଼ିଆର ନିର୍ମାଣ କାର୍ଯ୍ୟ ଦେଖିଥିଲେ। ସ୍ଥାନୀୟ ଅଞ୍ଚଳର ଖେଳାଳିମାନଙ୍କ ସୁବିଧା ପାଇଁ ଏଠାରେ କରାଯାଉଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଏହାପରେ ଶ୍ରୀ ତ୍ରିପାଠୀ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ। ବଣାଇଁ ବ୍ଲକର ବଇଦପାଲ୍ଲିସ୍ଥିତ ଏସଟି/ଏସସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗର, ଲାଇବ୍ରେରି ଆଦି ବୁଲି ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ୫ଟି ବ୍ଲକରେ ବ୍ୟାପକ ଟସର ଚାଷ କରାଯାଉଛି। ତେଣୁ ଟସର ଖୋସାରୁ ସୂତା ବାହାର କରି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁଠାରେ ଅତ୍ୟାଧୁନିକ ଟସର ସିଲକ ପାର୍କ ନିର୍ମାଣ କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରିଥିଲେ।

ଲହୁଣୀପଡ଼ା, ଗୁରୁଣ୍ଡିଆ ଏବଂ କୋଇଡ଼ା ବ୍ଲକର ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବା ଲାଗି ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ଏହା ଅଧୀନରେ ଲଲହୁଣୀପଡ଼ା ବ୍ଲକର ଲଲେଇଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଶ୍ରୀ ତ୍ରିପାଠି ବୁଲି ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୨୦ଟି ମା’ଗୃହ କାର୍ଯ୍ୟକ୍ଷମ ରହିଛି। ଶ୍ରୀ ତ୍ରିପାଠୀ ଲହୁଣୀପଡ଼ା ବ୍ଲକର ପୋଇଗାଁସ୍ଥିତ ମା’ଗୃହ ପରିଦର୍ଶନ କରି ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ମିଳୁଥିବା ବିଭିନ୍ନ ସେବା ବିଷୟରେ ସିଧାସଳଖ ସେମାନଙ୍କୁ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ଖଣି ପ୍ରଭାବିତ ବ୍ଲକର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ପାଇଁ ୱାଡି ପ୍ରକଳ୍ପ କରାଯାଉଛି। ଏହା ଅଧୀନରେ ବିଭିନ୍ନ ପ୍ରକାରର ଫଳ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ତା’ଛଡ଼ା ଚାଷୀମାନେ ଇଣ୍ଟରକ୍ରପିଂ ଜରିଆରେ ପନିପରିବା ଚାଷ କରୁଛନ୍ତି। ଶ୍ରୀ ତ୍ରିପାଠୀ ଲହୁଣୀପଡ଼ା ବ୍ଲକର ତନ୍ତବାହାଲଠାରେ ଥିବା ୱାଡ଼ି ପ୍ରକଳ୍ପ ପରିଦର୍ଶନ କରିଥିଲେ। ତଲବାହାଲିର ଵର୍ଘଟଠାରେ ସେ କଦଳୀ ଓ ଲିଚୁ ଚାଷ ଦେଖିବା ସହ ଚାଷୀମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ।

ଏହି ଗସ୍ତ ବେଳେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଡକ୍ଟର ଅଜିତ କୁମାର ମିଶ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ବଣାଇଁ ଡିଏଫଓ ସନତ କୁମାର ଏନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନିଲ ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ତିର୍କୀ, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ଜିଲ୍ଲାପରିଷଦ ସଭ୍ୟ କମଲ ଲାକ୍ରା, ବଣାଇଁ ବିଡିଓ ସ୍ୱଦୀପ କୁମାର ଟପ୍ପୋ, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଡିଏମଏଫ ଏବଂ ଓମ୍ବାଡସିର ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି

nis-ad
Leave A Reply

Your email address will not be published.