ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା, ୬ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୁଖିଲା ପାଗ ଜାରି ରହିବ । ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଆଗାମୀୀ ୨୪ ଘଣ୍ଟାରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , କୋରାପୁଟ, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଶ୍ରାବଣ ମାସରେ ବି ଅନୁଭୂତ ହେଉଛି ଗୁଳୁଗୁଳି । ରାଜ୍ୟରେ ମୌସୁମି ଦୁର୍ବଳ ହୋଇପଡିବାରୁ ଖରାର ତାତି ଅସହ୍ୟ ହୋଇପଡିଛି । ଫଳରେ ତାପମାତ୍ରା ସ୍ଵଭାବିକ ଠାରୁ ଅଧିକ ହୋଇପଡିଛି । ମୌସୁମୀ ଅବ୍ୟବହିତ ସମୟରେ ୫ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ମୟୁରଭଞ୍ଜ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଚଳିତ ବର୍ଷ ଆଜି ସୁଦ୍ଧା ୫୧୨.୨ ମିଲିମିଟର ମୌସୁମୀ ଜନିତ ବର୍ଷା ହୋଇଛି।

ରବିବାର ଦିନ ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଛି । ରବିବାର ଦିନ ଅନୁଗୁଳର ତାପମାତ୍ରା ୩୬.୧ ଡିଗ୍ରୀ ରହିଥିବା ବେଳେ ସମ୍ଵଲପୁର ୩୬,କଟକ ୩୫.୬,ଚାନ୍ଦବାଲି ୩୫.୭,ଝାରସୁଗୁଡା ୩୫.୨,ଟିଟିଲାଗଡ ୩୫.୫,ବରଗଡ ୩୫.୬,ଭଦ୍ରକ ୩୫,ନୟାଗଡ ୩୫ ଥିବା ବେଳେ ବାକିସଵୁ ଜିଲ୍ଲାରେ ୩୨ ଡିଗ୍ରୀ ଉପରେ ତାପମାତ୍ରା ରହିଛି ।

ତେବେ ଆଗାମୀ ୩ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଗୁଡିକର ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏ ଅଧିକ ରହିବ । ଉପକୂଳ ଓଡିଶାରେ ଉଚ୍ଚ ଆଦ୍ରର୍ତା ଏବଂ ସ୍ଵଭାବିକଠାରୁ ଅଧିକ ତାପମାତ୍ରା କାରଣରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ୪ ଦିନ ପରେ ଏହି ତାତିରୁ ତ୍ରାହି ମିଳିବ । ଆସନ୍ତା ୪ ତାରିଖରୁ ରାଜ୍ୟରେ ପୁଣି ମୌସୁମି ସକ୍ରିୟ ହେବ । ୪ ତାରିଖରେ ଗଞ୍ଜାମ,ଗଜପତି,ରାୟଗଡା,କଳାହାଣ୍ଡି,ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,କନ୍ଧମାଳ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବ ।

nis-ad
Leave A Reply

Your email address will not be published.