ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଦୁର୍ଘଟଣାଗ୍ରସ୍ତ,୧୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ


ପାତ୍ରପୁର : ଜରଡା ଥାନା ଅନ୍ତର୍ଗତ ପାତ୍ରପୁର କେଲୁଆ ମଧ୍ୟରେ ଏକ ଅଟୋ ସହ ବାଇକ୍‌ର ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଅଟୋରେ ବସିଥିବା ବାଦପୁର ଆଦର୍ଶ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀଙ୍କ ସହିତ ବାଇକ୍ ଚାଳକ ଆହତ ହୋଇଥିବା ଜଣାପଡିଛି । ଜରଡା ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକ ଅଟୋ (ଓଆର୍ ୦୭ ଏସ୍ ୮୪୨୯) ଯୋଗେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବାଦପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ (ଓଡି ୦୭ ଏଡି ୩୪୪୮) ତାକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଅଟୋରେ ବସିଥିବା ଶ୍ରାବଣୀ ପ୍ରଧାନ (୯ମ), ସାନିଆ ରଣା(୮ମ), ଖୁସି କୁମାର ସେଠୀ (୭ମ), ଦେବାସିଶ୍ ପ୍ରଧାନ (୯ମ), ରିତୁନନ୍ଦ ପାଢୀ (+୨ ଦ୍ୱିତୀୟ ବର୍ଷ), ଶୁଭମ କୁମାର ପାତ୍ର (୧୦ମ), ସୌଭାଗ୍ୟ କୁମାର ସେଠୀ (୮ମ), ସ୍ମୃତି ପ୍ରଧାନ (୭ମ), ସ୍ୱର୍ଣ୍ଣପ୍ରିୟା ପଣ୍ଡା (୬ଷ୍ଠ), ଲିସା ନାୟକ (୬ଷ୍ଠ) ପ୍ରମୁଖଙ୍କ ସହ ବାଇକ୍ ଚାଳକ ଟୁନା କାର୍ଯି ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତରେ ସମସ୍ତ ଆହତ ମାନଙ୍କୁ ପ୍ରଥମ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ଖବର ଶୁଣି ବିଦ୍ୟାଳୟ କତ୍ତୃପକ୍ଷଙ୍କ ସହିତ ଆହତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିଥିଲେ । ଖବର ପାଇ ପାତ୍ରପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାସ, ତହସିଲଦାର ଅମିତ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ଲୋକନାଥ ପାଢୀ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସମସ୍ତ ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଶ୍ରାବଣୀ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଅଧିକା ଚିକିତ୍ସା ପାଇଁଁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାସ୍ଥଳରେ ଜରଡା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଅଟୋ ଓ ବାଇକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜରଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ପାତ୍ରପୁର ମେଡିକାଲରେ ଆହତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏ ନେଇ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶନିବାର ଅପରାହ୍ନରେ ପାତ୍ରପୁର ବ୍ଲକ ବାଦପୁର ଆଦର୍ଶ ବିଦ୍ୟାଳୟ ରେ ପହଞ୍ଚି ଘଟିଥିବା ଦୁର୍ଘଟଣା ସଂପକରେ ଭାରପ୍ରାପ୍ତ ଅଧକ୍ଷ ଶର୍ମିଳା ରାଉତରାୟ, ବିଡ଼ିଓ ପ୍ରକାଶ କୁମାର ଦାସ,ତହସିଲଦାର ଅମିତ କୁମାର ନାୟକ,ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ ଆଦିଙ୍କୁ ପଚାରି ବୁଝିବା ସହ ଖୁବ ଶୀଘ୍ର ଆଉ ଏକ ହୋଷ୍ଟେଲ ନିର୍ମାଣ ସହ ସ୍କୁଲ ତରଫରୁ ପିଲାଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ବସ୍ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

nis-ad
Leave A Reply

Your email address will not be published.