ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା, ଟ୍ରେନ୍ ଟ୍ରାକ୍‌ରୁ ମା’ ଛୁଆଙ୍କ ଉଦ୍ଧାର କଲେ ଆରପିଏଫ୍‌ ଅଧିକାରୀ

କଟକ: ଭଲ ପାଇ ବାହା ହୋଇଥିଲେ । ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ହେବାରୁ ଆତ୍ମହତ୍ୟା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ । ଦମ୍ପତିଙ୍କ କଳିରେ ନବଜାତକର ଭବିଷ୍ୟତ ବି ବାଜି ଲାଗିଥିଲା ରେଳ ଧାରଣାରେ । ନବଜାତକ ପୁତ୍ର ସନ୍ତାନକୁ ଧରି ଓଏମ୍‌ପି ଓଭରବ୍ରିଜ୍‌ ତଳ ରେଳଧାରଣାରେ ଆତ୍ମହତ୍ୟା ପାଇଁ ବସିଥିବା ବେଳେ ମା’ପୁଅଙ୍କୁ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଛନ୍ତି କଟକ ଆର୍‌ପିଏଫ୍‌ କର୍ମଚାରୀ ।

୨ ମିନିଟ୍‌ ମଧ୍ୟରେ ମାଛୁଆଙ୍କୁ ରେଳ ଧାରଣାରୁ ଆର୍‌ପିଏଫ୍‌ କର୍ମଚାରୀ ଉଠାଇ ଆଣି ନଥିଲେ ଦୁଇଟି ଅମୂଲ୍ୟ ଜୀବନ ଘଟଣାସ୍ଥଳରେ ଲିଭି ଯାଇଥାନ୍ତା ବୋଲି ଆରପିଏଫ୍‌ ଅଧିକାରୀ ଅନିଲ୍‌ ସିଂ କହିଛନ୍ତି ।

ସୂଚନାଯୋଗ୍ୟ, ୧୭ ମାସ ତଳେ ପ୍ରେମ ବିବାହ କରିଥିବା ନବ ଦମ୍ପତି ଘର ଲୋକଙ୍କଠାରୁ ଦୂରରେ ରହି ମଙ୍ଗଳାବାଗ ଉଚ୍ଚସାହି ଅଞ୍ଚଳରେ ଭଡ଼ାରେ ରହୁଥିଲେ । ପ୍ରାୟ ୨୦ ଦିନ ତଳେ ଦମ୍ପତିଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଘରଠାରୁ ଉଭୟ ଅଲଗା ହୋଇ ଏକତ୍ର ରହୁଥିଲେ ହେଁ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ବୁଝାମଣା ଠିକ୍‌ ନଥିଲା । ସ୍ୱାମୀଙ୍କ ଉପରେ ପତ୍ନୀ ସନ୍ଦେହ ପ୍ରକଟ କରିଥିଲେ । ତେବେ ସନ୍ଦେହ ବଢ଼ିବାରୁ ଉଭୟଙ୍କ କଳି ମଧ୍ୟରେ ପତ୍ନୀ ନିଜ ନବଜାତକକୁ ସାଙ୍ଗରେ ନେଇ ଆତ୍ମହତ୍ୟା କରିବା ପାଇଁ କଟକ ଷ୍ଟେସନ୍‌ ଅଭିମୁଖେ ଯାଇଥିଲେ । ଗତକାଲି ମହିଳା ଜଣକ ଛୁଆକୁ ଧରି ଷ୍ଟେସନ୍‌ଠାରୁ କିଛି ଦୂରରେ ତଥା ଓଏମପି ଓଭର ବ୍ରଜ୍‌ ତଳେ ରେଳ ଧାରଣାରେ ବସିଥିଲେ ।

ରୁଟ୍‌ ନମ୍ବର ୨ରେ ଗ୍ରୀନ୍‌ ସିଗନାଲ୍‌ ଜଳୁଥିବାରୁ ଏହି ପଥରେ ଏକ ଟ୍ରେନ୍‌ ଆସୁଥିଲା । ତେବେ ନିକଟରେ ପାଟ୍ରୋଲିଂ କରୁଥିବା ଏସ୍‌ଆଇ ରୋଜି ମହାନନ୍ଦ, ଏଏସ୍‌ଆଇ ସ୍ମୃତିରଞ୍ଜନ ସାହୁଙ୍କର ହଠାତ୍‌ ଟ୍ରାକ୍‌ ଉପରେ ନଜର ପଡ଼ିଥିଲା ଯେ କେହି ଜଣେ ଚଳନ୍ତା ଟ୍ରେନ୍‌ ଆଗରେ ଆତ୍ମହତ୍ୟା କରିବା ପାଇଁ ବସିଛନ୍ତି । ସେମାନେ ଆଖିପିଛୁଳାକେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ । ମହିଳାଙ୍କୁ ରେଳ ଧାରଣାରୁ ଉଠାଇ ଆଣିବା ମଧ୍ୟରେ ଟ୍ରେନ୍‌ଟି ଅତିକ୍ରମ କରିଯାଇଥିଲା । ଫଳରେ ମହିଳାଙ୍କ ସହ ନବଜାତକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ । ଆର୍‌ପିଏଫ୍‌ କର୍ମଚାରୀମାନେ ମହିଳାଙ୍କୁ ବହୁ ବୁଝାଶୁଝା କରି ଥାନାକୁ ଆଣି ଶାନ୍ତ୍ୱନା ଦେବା ସହ ସ୍ୱାମୀଙ୍କୁ ଫୋନ କରି ଆରପିଏଫ୍‌ ଥାନାକୁ ଡକାଇଥିଲେ । ଦମ୍ପତିଙ୍କୁ ଆରପିଏଫ୍‌ ଅଧିକାରୀ ବୁଝାଶୁଝା କରି ଘରକୁ ଛାଡ଼ିଥିଲେ ।

nis-ad
Leave A Reply

Your email address will not be published.