ଶିକ୍ଷକ ନିଯୁକ୍ତି ଦୁର୍ନୀତି: ମିଡିଆ ଟ୍ରାଏଲକୁ ନେଇ ମମତା ବାନାର୍ଜୀ ଖପ୍ପା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଏହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ନିଜକୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛନ୍ତି। ପାର୍ଥ ଚାଟାର୍ଜୀ ଏଯାଏ ଦୋଷୀ ସାବ୍ୟସ୍ତ ହୋଇ ନଥିଲେ ମଧ୍ୟ ମିଡିଆ ସେ ହିଁ ପ୍ରକୃତ ଖଳନାୟକ ବୋଲି ଚିତ୍ରଣ କରିବାରେ ଲାଗିଛି। ମିଡିଆର ଏପରି ପଦକ୍ଷେପକୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ସେ ମିଡିଆ ଟ୍ରାଏଲକୁ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
କୋଲକାତାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, “ଯେତେବେଳେ ଆପଣ ଗୋଟିଏ ବଡ଼ ଅନୁଷ୍ଠାନ ଚଳାଉଛନ୍ତି, ସେଠାରେ ଭୁଲ ବା ତ୍ରୁଟି ଦେଖାଯିବ। ଯଦି କେହି କିଛି ଭୁଲ କରିଛନ୍ତି ଓ ଆଇନ ଦ୍ୱାରା ଦୋଷୀ ବିବେଚିତ ହେଉଛନ୍ତି, ତା’ହେଲେ ସେ ନିଶ୍ଚିତ ଦଣ୍ଡ ପାଇବେ। କିନ୍ତୁ ମୁଁ ମିଡିଆ କରୁଥିବା ଉଦ୍ଦେଶ୍ୟମୂଳକ ସମସ୍ତ ଅପପ୍ରଚାରକୁ ବିରୋଧ କରୁଛି। ମିଡିଆ ଏବେ କଙ୍ଗାରୁ କୋର୍ଟର ଭୂମିକା ନିର୍ବାହ କରୁଛି। ଏକଥା ଜଣେ ବରିଷ୍ଠ ବିଚାରପତି ମଧ୍ୟ କହିଥିଲେ।”
ମିଡିଆ ତାଙ୍କ ଦଳ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଅପ୍ରଚାର କରୁଥିବାରୁ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “କୋର୍ଟ ଦ୍ୱାରା ଯିଏ ଦୋଷୀ ସାବ୍ୟସ୍ତ ହେବେ, ସେ ଦଣ୍ଡ ପାଇବେ। କୌଣସି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟ ଶୈଳୀକୁ ନେଇ ମୋର କିଛି ବି ଅସୁବିଧା ନାହିଁ। କିନ୍ତୁ ରାଜନୀତିକ ଦଳଗୁଡ଼ିକୁ ଅପଦସ୍ଥ କରିବା ପାଇଁ ଏଜେନ୍ସି ଗୁଡ଼ିକର ବ୍ୟବହାର କରା ନଯାଉ।
କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କଥାରେ ଏଜେନ୍ସିଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ବିରୋଧୀ ଦଳର ନେତାମାନଙ୍କୁ ଧମକାଉଛନ୍ତି। ଜଣେ ମହିଳା(ଅର୍ପିତା ମୁଖାର୍ଜୀ)ଙ୍କ ଘରୁ ମିଳିଥିବା ବିଡ଼ାବଡ଼ି ଟଙ୍କା ସହ ମୋ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରାଯାଉଛି। ବିଜେପି ଓ ସିପିଏମ ନେତାମାନେ ମୋ ନାଁକୁ ପୂରା ବିବାଦରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ମନେ ରଖିବା ଦରକାର ଯେ ମୁଁ ମଧ୍ୟ ସେମାନଙ୍କ ସମ୍ପର୍କରେ ସବୁ ଖବର ରଖିଛି। କ’ଣ ମୁଁ ଆପଣମାନଙ୍କ ନେତାଙ୍କ ଫଟୋ ସାମ୍ନାକୁ ଆଣିବି?”
ମମତା ଆଦୌ ଦୁର୍ନୀତିକୁ ସମର୍ଥନ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ମୁଁ କୌଣସି ଦୁର୍ନୀତି କିମ୍ବା ଭୁଲ କାମକୁ ସମର୍ଥନ କରେନାହିଁ। ନ୍ୟାୟପାଳିକା ଉପରେ ଆମର ଯଥେଷ୍ଟ ବିଶ୍ୱାସ ରହିଛି। ଯଦି କେହି କୋର୍ଟରେ ଦୋଷୀ ସାବ୍ୟସ୍ତ ହେବେ, ସେ ନିଶ୍ଚିତ ଦଣ୍ଡ ପାଇବେ। ଦଳ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ ମିଡିଆରେ ଚାଲିଥିବା ଅପପ୍ରଚାର ଆଦୌ ଗ୍ରହଣୀୟ ନୁହେଁ।”

nis-ad
Leave A Reply

Your email address will not be published.