ଉହାନରେ କରୋନା ପୁଣି ପରମୁହାଁ

ବେଜିଂ: ପୁଣି ଉପର ମୁହାଁ ହେଲାଣି ମହାମାରୀ। କିଛି ଦିନର ବିରତି ପରେ ପୁଣି ବଢ଼ିଲାଣି କରୋନା ଗ୍ରାଫ। ଯେଉଁଠୁ ଉତ୍ପତ୍ତି ହୋଇଥିଲା ଏହି ମାରାତ୍ମକ ଭୂତାଣୁର ଏବେ ସେଇଠି ପୁଣି ଆତଙ୍କ ଖେଳାଇଛି। ଚୀନର ଉହାନକୁ ପୁଣି ଫେରିଛି କରୋନା। ଉହାନ ସେହି ଅଞ୍ଚଳ ଯେଉଁଠି କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଆଉ ଏହା ପରେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା।
ଯତେ ଜିରୋ କୋଭିଡ ପଲିସି ଆପଣାଇଲେ ବି କରୋନାକୁ ମାତ୍‌ ଦେଇପାରୁନି ଚାଇନା। ଉହାନର ଜିୟାଙ୍ଗକ୍ସିୟା ଜିଲ୍ଲାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସିନେମା ହଲ୍‌, ବାର, ଓ କ୍ୟାଫେ ସବୁଗୁଡିକୁ ବନ୍ଦ କରାଯାଇଛି।
ଜିୟାଙ୍ଗକ୍ସିୟାରେ କରୋନାର ୪ଟି ମାମଲା ଚିହ୍ନଟ ହୋଇଛି। ଏହାପରେ ଏଠାରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶାସନ ମୁତାବକ, ଜିୟାଙ୍ଗକ୍ସିୟାର ସହରାଞ୍ଚଳରେ ତିନି ଦିନ ପାଇଁ ଅସ୍ଥାୟୀ ନିୟନ୍ତ୍ରଣ ଉପାୟକୁ ଲାଗୁ କରାଯାଇଛି। କରୋନାକୁ କାବୁ କରିବା ପାଇଁ ଦୋକାନ ବଜାର ସମେତ ରେଷ୍ଟୁରାଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ଏଥିସହ ସଭାସ୍ଥଳ ଓ ଶିକ୍ଷାନୁଷ୍ଠାନଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବସ୍‌ ଠାରୁ ଆରମ୍ଭ କରି ସମସ୍ତ ଟ୍ରାନ୍ସପୋର୍ଟ ସିଷ୍ଟମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଅତ୍ୟାବଶ୍ୟକ ନଥିଲେ ଲୋକଙ୍କୁ ସହର ନ ଛାଡିବା ଓ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
୨୦୨୦ ପ୍ରାରମ୍ଭରେ ଚୀନର ଉହାନରେ ବିଶ୍ୱର ପ୍ରଥମ ଲକଡାଉନ୍‌ ଲାଗୁ କରାଯାଇଥିଲା। ଏଥିଯୋଗୁ ଲୋକେ ଦୁଇ ମାସ ଯାଏଁ ଘରୁ ବାହାରକୁ ବାହାରି ନଥିଲେ। ଏହାପରେ ଏହି ମହାମାରୀ ପୂରା ବିଶ୍ୱକୁ ବ୍ୟାପି ଯାଇଥିଲା।

nis-ad
Leave A Reply

Your email address will not be published.