ବିବାଦ ପରେ ସଂସଦରେ କୌଣସି ଶବ୍ଦ ବ୍ୟାନ ହୋଇ ନଥିବା କହିଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ସଂସଦରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟାନ କରାଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ସ୍ପଷ୍ଟୀକରଣ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ଦୁର୍ନୀତିଗ୍ରସ୍ତ ଓ ଦାୟିତ୍ୱହୀନତା ଭଳି ଏକାଧିକ ଶବ୍ଦକୁ ଅବୈଧାନିକ ବା ଅସଂସଦୀୟ ଶବ୍ଦ ତାଲିକାରେ ସାମିଲ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ।
ଏହାପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ସଂସଦର ଉଭୟ ସଦନରେ କୌଣସି ଶବ୍ଦ ବ୍ୟାନ କରାଯାଇନାହିଁ। କେବଳ କେଉଁ ପରିପ୍ରେକ୍ଷୀରେ ଶବ୍ଦ ବ୍ୟବହାର ହୋଇଛି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ପରିସ୍ଥିତିକୁ ଦୃଷ୍ଟିରେ ରଖି କେଉଁ ଶବ୍ଦଟି ଅସଂସଦୀୟ ତା’ର ବିଚାର କରାଯିବ। ପୂର୍ବରୁ ଅସଂସଦୀୟ ଶବ୍ଦଗୁଡ଼ିକ ସମ୍ପର୍କରେ ଗୋଟିଏ ବହି ରିଲିଜ କରାଯିବାର ଥିଲା।
କାଗଜର ଅପଚୟକୁ ରୋକିବା ପାଇଁ ଆମେ ଇଣ୍ଟରନେଟରେ ଏହି ଶବ୍ଦଗୁଡ଼ିକୁ ଉପସ୍ଥାପନ କରିଥିଲୁ। କୌଣସି ଶବ୍ଦ ବ୍ୟାନ କରାଯାଇ ନାହିଁ। ବ୍ୟାନ ହୋଇଥିବା ଶବ୍ଦର ଗୋଟିଏ ସଂକଳନ ଆମେ ଜାରି କରି ସାରିଛୁ। ଏହାବାଦ ଆଉ କୌଣସି ଶବ୍ଦ ବ୍ୟାନ ହୋଇନି। କ’ଣ ବିରୋଧୀ ଦଳର ନେତାମାନେ ଅସଂସଦୀୟ ଶବ୍ଦ ଥିବା ୧୧୦୦ ପୃଷ୍ଠାର ଡିକ୍ସନାରୀକୁ ପଢ଼ିଛନ୍ତି? ଯଦି ସେମାନେ ପଢ଼ି ଥାଆନ୍ତେ, ତା’ହେଲେ ଭୁଲ ତଥ୍ୟର ପ୍ରଚାର କରି ନଥାଆନ୍ତେ। ଅସଂସଦୀୟ ଶବ୍ଦଗୁଡ଼ିକର ତାଲିକା ୧୯୫୪, ୧୯୮୬, ୧୯୯୨, ୧୯୯୯, ୨୦୦୪, ୨୦୦୯, ୨୦୧୦ରେ ଜାରି ହୋଇଛି। ୨୦୧୦ଠାରୁ ପ୍ରତିବର୍ଷ ଅଣସଂସଦୀୟ ଶବ୍ଦ ଗୁଡ଼ିକର ତାଲିକା ଜାରି କରାଯାଉଛି ବୋଲି ସେ କହିଛନ୍ତି।
ଲୋକସଭାର ସଚିବାଳୟ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ବୁକଲେଟରେ କୁହାଯାଇଥିଲା ଯେ ସଂସଦର କୌଣସି ସଦନରେ ଜୁମଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର, ଆସେମଡ୍‌, ଆବ୍ୟୁଜଡ୍‌, ଧୋକାବାଜ, ଡ୍ରାମା, ଦୁର୍ନୀତିଖୋର ଭଳି ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ।
ଆସନ୍ତା ଜୁଲାଇ ୧୮ରେ ମୌସୁମୀ ଅଧିବେସନ ଆରମ୍ଭ ହେଉଛି। ଏହି ସମୟରେ ଗୃହର କୌଣସି ସଦସ୍ୟ ବ୍ୟାନ ହୋଇଥିବା ଶବ୍ଦ ଗୁଡ଼ିକ ବ୍ୟବହାର କରିପାରିବେନି ବୋଲି କୁହାଯାଉଥିଲା। ତେବେ ଶବ୍ଦ ବ୍ୟାନକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲା। ଏହାକୁ ନେଇ ବେଶ ହଙ୍ଗାମା ମଧ୍ୟ ହୋଇଥିଲା। ଶେଷରେ ବାଚସ୍ପତି ଓମ ବିର୍ଲା ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।

nis-ad
Leave A Reply

Your email address will not be published.