ଭାରତରୁ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

କୋଲ୍ଲାମ: ଭାରତରୁ ପ୍ରଥମଥର ପାଇଁ ଚିହ୍ନଟ ହୋଇଛି ମାରାତ୍ମକ ମଙ୍କିପକ୍ସ। କେରଳର କୋଲ୍ଲାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଏ ସମ୍ପର୍କରେ କେବଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ କେହି ବି ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ କିମ୍ବା କେହି ବି ଡରନ୍ତୁ ନାହିଁ। କାରଣ ଏହାର ମୁକାବିଲା ପାଇଁ ସବୁ ପ୍ରକାରର ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏଥିସହ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି।”
ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିବା ତାଙ୍କ ବାପା ଓ ମାଙ୍କ ସମେତ ଅନ୍ୟମାନଙ୍କୁ ଅବଜର୍ବେସନ ପାଇଁ ଥିରୁଅନନ୍ତପୁରମ ମେଡିକାଲ କଲେଜରେ ରଖାଯାଇଛି। ଏହି ଠାରେ ହିଁ ମଙ୍କିପକ୍ସର ଲକ୍ଷଣକୁ ଚିହ୍ନଟ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଜର୍ଜ ଆହୁରି କହିଛନ୍ତି, “ଆକ୍ରାନ୍ତ ଜଣକ ୟୁଏଇକୁ ଯାଇଥିଲେ। ଜୁଲାଇ ୧୨ରେ ସେ ୟୁଏଇରୁ ଆସି ତ୍ରିବେନ୍ଦ୍ରମ ଏୟାରପୋର୍ଟରେ ଓହ୍ଲାଇଥିଲେ। କିଛି ଦିନ ତଳେ ୟୁଏଇରେ ଥିବା ତାଙ୍କ ସାଙ୍ଗ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ସମ୍ଭବତଃ ବ୍ୟକ୍ତି ଜଣଙ୍କ ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ତାଙ୍କ ବାପା ମା’, ଜଣେ ଟ୍ୟାକ୍ସି ଡ୍ରାଇଭର ଓ ଜଣେ ଅଟୋ ଡ୍ରାଇଭର ଆସିଥିଲେ। ଏଥିସହ ବ୍ୟକ୍ତିଙ୍କ ସହ ବିମାନରେ ଆସିଥିବା ୧୧ ଜଣ ଯାତ୍ରୀ ଓ ବିମାନର କ୍ୟାବିନ କ୍ରୁ ମାନଙ୍କୁ ମଧ୍ୟ ସରକାର କ୍ଲୋଜ କଣ୍ଟାକ୍ଟ ଭାବେ ଚିହ୍ନଟ କରିଛନ୍ତି। ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରେ ପହଞ୍ଚିବା ପରେ ଟ୍ୟାକ୍ସି ଧରି କୋଲ୍ଲାମ ସ୍ଥିତ ନିଜ ଘରକୁ ଯାଇଥିଲେ।
ତେବେ ସେ ବିଭିନ୍ନ ଲକ୍ଷଣ ଅନୁଭବ କରିବାରୁ ମେଡିକାଲ ସହାୟତା ନେଇଥିଲେ। ପ୍ରଥମେ ସେ ଅଟୋ ଯୋଗେ ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଥିରୁଅନନ୍ତପୁରମ ମେଡିକାଲ କଲେଜକୁ ଅଣାଯାଇଥିଲା। ଏଠାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ସ୍ଥିତ ନ୍ୟାଶନାଲ ଭାଇରୋଲୋଜି ଇନଷ୍ଟିଚ୍ୟୁଟକୁ ପଠା ଯାଇଥିଲା। ଆଜି ସନ୍ଧ୍ୟାରେ ରିପୋର୍ଟ ମିଳିଛି। ବ୍ୟକ୍ତି ଜଣ ମଙ୍କିଫକ୍ସ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।”
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଙ୍କିପକ୍ସ ଗୋଟିଏ ଭାଇରାଲ ରୋଗ। ଏହା ପଶୁମାନଙ୍କ ଶରୀରରୁ ମଣିଷ ଶରୀରକୁ ଆସିଥାଏ। ପୂର୍ବରୁ ଦେଖାଯାଇଥିବା ସ୍ମଲପକ୍ସର ଲକ୍ଷଣ ସହ ମଙ୍କିପକ୍ସର ଲକ୍ଷଣ ସମାନ। ତେବେ ଏହା ସ୍ମଲପକ୍ସ ଠାରୁ ଖୁବକମ ମାରାତ୍ମକ।

nis-ad
Leave A Reply

Your email address will not be published.