ଶ୍ରୀଲଙ୍କା ରାଷ୍ଟ୍ରପତି ହଟିବା ପରେ ସେଲିବ୍ରେସନ: ନୃତ୍ୟ, ଗୀତରେ ମାତିଲେ ଦେଶବାସୀ

କଲମ୍ବୋ: ହା-ହତାଶା, ନିରାଶା ଓ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ। ଶ୍ରୀଲଙ୍କାରେ ଖୁସିର ମାହୋଲ। ପଳାତକ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ସେଲିବ୍ରେସନର ମାହୋଲ। ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ ସଫଳ ହେବା ପରେ ଦେଶବାସୀ ଖୁସି ମନାଇଛନ୍ତି। ଗତକାଲି ଦେଶର ଆନ୍ଦୋଳନକାରୀମାନେ ନୃତ୍ୟ ଓ ଗୀତରେ ମଜିଥିଲେ। ଦେଶରେ ଜାରି ହୋଇ‌ଥିବା କର୍ଫ୍ୟୁକୁ ଅମାନ୍ୟ କରି ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଆସି ନୃତ୍ୟଗୀତରେ ମାତିଥିଲେ।
ଏହି ସମୟରେ ବିକ୍ଷୋଭକାରୀମାନେ ବିଭିନ୍ନ ନାରାବାଜି ମଧ୍ୟ କରିଥିଲେ। । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି ସିଙ୍ଗାପୁରରେ ପହଞ୍ଚିବା ପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କୁହାଯାଉଛି। ଗତକାଲି ସାଉଦି ଆରବରେ ଏକ ଘରୋଇ ବିମାନରେ ସିଙ୍ଗାପୁରରେ ପହଞ୍ଚିଥିଲେ ଗୋଟାବାୟା । ତେବେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟାବାୟା ରାଜପକ୍ଷ ସିଙ୍ଗାପୁରକୁ ପ୍ରାଇଭେଟ୍ ଭିଜିଟ୍‌ରେ ଆସିଛନ୍ତି । ସେ ଶରଣ ଲୋଡ଼ି ନାହାନ୍ତି, କି ତାଙ୍କୁ ସେଭଳି କୌଣସି ଅନୁମତି ମଧ୍ୟ ଦିଆଯାଇନି ।
୨୦୧୯ରେ ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗୋଟାବାୟା। ସୂଚନା ଅନୁଯାୟୀ, ଦାରୁଣ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଗତ କିଛି ମାସ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ପେଟ୍ରୋଲ, ଡିଜେଲ ଓ କିରୋସିନିର ଘୋର ସଙ୍କଟ ସୃଷ୍ଟି ହୋଇଛି। ସେହପରି ଦେଶରେ ବିଜୁଳି ସଙ୍କଟ ତୀବ୍ର ହୋଇଥିବା ବେଳେ ଦେଶବାସୀ ଚଳିବା ମୁସକିଲ ହୋଇପଡ଼ିଛି। ଖାଦ୍ୟ, ସ୍ୱାସ୍ଥ୍ୟ ଏମିତି ଅନେକ ସମସ୍ୟାରେ ଛନ୍ଦି ହେବା ପରେ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.