ରାଶନ କାର୍ଡ କରିବା ପାଇଁ ୨୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର…


ମାଲକାନଗିରି : ମାଲକାନଗିରି ପୌର ପରିଷଦରେ ରାଶନ କାର୍ଡ କରିବା ପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେଟର ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ । ପୂର୍ବରୁ ଜୟପୁର ପୌର ପରିଷଦରେ ଜନ୍ମ ପ୍ରମାଣ ପତ୍ର କରିବା ପାଇଁ ଜଣେ କର୍ମଚାରୀ ୩୫୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ମାଲକାନଗିରି ପୌର ପରିଷଦରେ ସମାନ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ମାଲକାନଗିରି ପୌର ପରିଷଦରେ ପରିତୋଷ ନାମକ ଜଣେ ବ୍ୟକ୍ତି ନିଜର ରାଶନ କାର୍ଡ କରାଇବା ପାଇଁ ଯାଇଥିଲେ । ତେବେ ଏହି ସମୟରେ ଏହି କାର୍ଡ କରିବା ଦାଇତ୍ଵରେ ଥିବା ଡାଟା ଏଣ୍ଟ୍ରି ଅପରେଟର ସୁକୁଦେବ ମଣ୍ଡଳ ତାଙ୍କୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରିତୋଷ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଏହି ଅର୍ଥ ଦେବାକୁ ଅସମର୍ଥ ଥିବା ସତ୍ବେ କେବଳ ରାଶନ କାର୍ଡ ପାଇବା ଆଶାରେ କୌଣସି ମତେ ୨୦୦୦ ଟଙ୍କା ଆଣି ଉକ୍ତ ଅପରେଟରକୁ ଦେଇଥିଲେ । ତେବେ ଏହି ଖବର ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ ଜାଣିବା ପରେ ତୁରନ୍ତ ସେହି ସ୍ଥାନକୁ ଯାଇ ଉକ୍ତ ଡାଟା ଏଣ୍ଟ୍ରି ଅପରେଟର ଠାରୁ ୨୦୦୦ ଟଙ୍କା ଜବତ କରି ପରିତୋଷଙ୍କୁ ଫେରସ୍ତ କରିଥିଲେ । ଏହା ସହ ଉକ୍ତ ଅପରେଟର ସୁକଦେବଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପୌରାଧକ୍ଷ ଶ୍ରୀ ବାରିକ ପ୍ରକାଶ କରିଛନ୍ତି । ତେବେ ଶ୍ରୀ ବାରିକଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ବେସ ପ୍ରଶଂସା କରାଯାଇଛି ।   

nis-ad
Leave A Reply

Your email address will not be published.