ରାଜ୍ୟସ୍ତରରେ ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହେଲା ଝୁରିମାଲ ବନ ସୁରକ୍ଷା ସମିତି



ସୁନ୍ଦରଗଡ଼ (୦୭/୦୭) : ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରଙ୍କ ଜୀବିକାର ମାନରେ ଉନ୍ନତି ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ଝୁରିମାଲ ବନ ସୁରକ୍ଷା ସମିତି ରାଜ୍ୟର ସର୍ବଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହୋଇଛି। ଆଜି ଭୁବନେଶ୍ବର ସ୍ଥିତ ମହାନଗର ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟ, ବରମୁଣ୍ଡା ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କାନଫରେନସିଙ୍ଗ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଝୁରିମାଲ ବନ ସୁରକ୍ଷା ସମିତିକୁ ମାନପତ୍ର ଓ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଝୁରିମାଲ ବନ ସୁରକ୍ଷା ସମିତି ତରଫରୁ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ପଟେଲ ଓ ନିଲାମ୍ବର ଉପାଧ୍ୟାୟ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ୧୯୯୩-୯୪ ମସିହାରେ ଝୁରିମାଲ ଗ୍ରାମବାସୀ ମାନେ ସଂଗଠିତ ହୋଇ ଜଙ୍ଗଲ କାଟିବା ବିରୁଦ୍ଧରେ କଟକଣା ଜାରି କରି ଏକ ବନ ସୁରକ୍ଷା ସମିତି ଗଠନ କରିଥିଲେ। ୨୦୧୮ ମସିହାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ମାଧ୍ୟମରେ ଏହି ବନ ସୁରକ୍ଷା ସମିତିକୁ ପୁନଃର୍ଗଠନ କରାଯିବାପରେ ସହଯୋଗୀ ଅନୁଷ୍ଠାନ “ସେବକ” ତଥା ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ସହଯୋଗ ଦ୍ଵାରା ନିଜର ବିଭିନ୍ନ ଅଭିନବ ଚିନ୍ତାଧାରା ଦ୍ଵାରା ଜଙ୍ଗଲ ସୁରକ୍ଷା ସଙ୍ଗେ ସଙ୍ଗେ ଜୀବିକାର ଉନ୍ନତି ତଥା ସଂଗଠନ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ଜିଲ୍ଲା ସଙ୍ଗେ ସଙ୍ଗେ ରାଜ୍ୟ ସ୍ତରରେ ମଧ୍ୟ ସୁନାମ ରଖିଛି ଝୁରିମାଲ ବନ ସୁରକ୍ଷା ସମିତି ।

ଜଙ୍ଗଲ ବିଭାଗ ସହାୟତାରେ ୫୦ ଏକର ଜମିରେ ବୃକ୍ଷ ରୋପଣ, ଶ୍ରମଦାନ ମାଧ୍ୟମରେ ୮ ଏକର ଜମିରେ ବୃକ୍ଷରୋପଣ, ଶ୍ରମଦାନ ଦ୍ଵାରା ଜଙ୍ଗଲର ଚତୁଃପାର୍ଶ୍ବରେ ଟ୍ରେଞ୍ଚ ଖନନ, ବର ଓ ଅଶ୍ଵତଥ ଚାରା ଉତ୍ପାଦନ, ଗ୍ରାମର ୧.୬୫ ଏକର ଜମିରେ ଫଳ ବଗିଚା ସୃଷ୍ଟି, ଶତକଡା ୮୫ ପ୍ରତିଶତ ଘରେ ଗ୍ଯାସ ସଂଯୋଗୀକରଣ ଦ୍ଵାରା ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା, ଶାଳ ମଞ୍ଜିର ବଜାର ବ୍ୟବସ୍ଥା, ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର, ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆୟ ଭିତ୍ତିକ କାର୍ଯ୍ୟକ୍ରମ, ବନ ସୁରକ୍ଷା ସମିତି କାର୍ଯ୍ୟ।ଳୟର ସୌନ୍ଦର୍ଜିକରଣ, କରୋନା ମହାମାରୀ ସମୟରେ ମାସ୍କ ଓ ରାସନ ସାମଗ୍ରୀ ବଣ୍ଟନ ତଥା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ “ସ୍ଵତନ୍ତ୍ର ନିଆଁ ଲିଭା ଦଳ” ଗଠନ ପରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛି ଝୁରିମାଲ ବନ ସୁରକ୍ଷା ସମିତି। ଝୁରିମାଲ ବନ ସୁରକ୍ଷା ସମିତିର ନିଜସ୍ଵ ୱେବ ସାଇଟ ପ୍ରସ୍ତୁତ କରାଯାଇଛି ଯାହାକି ଜାତୀୟ ସ୍ତରରେ କୌଣସି ବନ ସୁରକ୍ଷା ସମିତିର ପ୍ରଥମ ୱେବ ସାଇଟ। ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଝୁରିମାଳ ବନ ସୁରକ୍ଷା ସମିତିକୁ ଅଭିନନ୍ଦନ ଜଣାଇବା ସହିତ ବୃକ୍ଷରୋପଣ ଦ୍ଵାରା ହିଁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇ ପାରିବା ବୋଲି ପରାମର୍ଶ ଦେଇଥିଲେ।

nis-ad
Leave A Reply

Your email address will not be published.