୧୦ ବର୍ଷରେ ମରିଛନ୍ତି ୭୮୪ ହାତୀ, କୋରାପୁଟରେ ନାହାନ୍ତି ହାତୀ !

ଭୁବନେଶ୍ବର: ଗତ ୧୦ ବର୍ଷରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୨-୧୩ ମସିହାରୁ ୨୦୨୧-୨୨ ମସିହା ମଧ୍ୟରେ ଏହି ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୩୪ ଟି ହାତୀ ଶିକାରୀମାନଙ୍କ ଦ୍ବାରା ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩୬ଟି ହାତୀ ମରିଛନ୍ତି। ରେଳ ଦୁର୍ଘଟଣାରେ ୩୦ଟି ଓ ସଡକ ଦୁର୍ଘଟଣାରେ ୬ଟି ହାତୀର ମୃତ୍ୟୁ ହୋଇଛି ।

ତେବେ କୋରାପୁଟ ଜିଲାରେ ଆଦୌ ହାତୀ ନାହାନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରାକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ରାଜ୍ୟରେ ହାତୀ ବଂଶ ବୁଡିଯାଇଥିବା କଥା ସତ୍ୟ ନୁହେଁ। ୧୯୯୯ ଏବଂ ପରବର୍ତ୍ତୀ ବର୍ଷମାନଙ୍କରେ ହାତୀଗଣନା ହୋଇଥିବା ତଥ୍ୟ ଅନୁଯାୟୀ ୧୯୯୯ ମସିହାରେ ୧୮୨୭ଟି ହାତୀ ଥିବା ବେଳେ ୨୦୧୭ ମସିହାରେ ୧୯୭୬ଟି ହାତୀ ରହିଛି। ଏଭଳି ଭାବେ ୧୪୯ଟି ହାତୀ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତ ସରକାରଙ୍କ ଅଧୀନରେ ଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଡିଭିଜନ ଦ୍ବାରା ପ୍ରସ୍ତୁତ ନୂତନ ପ୍ରଣାଳୀରେ ରାଜ୍ୟରେ ହାତୀ ଗଣନା କାର୍ଯ୍ୟକ୍ରମ ପାଇ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଅତୀତରେ କୋରାପୁଟ ଜିଲାରେ ହଜାର ହଜାର ହାତୀ ଥିବାର ଗଣନା ତଥ୍ୟରୁ ପରିଲକ୍ଷିତ ହେଉ ନାହିଁ। ୧୯୭୯ରୁ ୨୦୧୭ ମଧ୍ୟରେ ୮ ଥର ହାତୀ ଗଣନା କରାଯାଇଛି। ସେଥିମଧ୍ୟରୁ ୨୦୧୦ରେ ୧୪ଟି ଓ ୨୦୧୨ରେ ୮ଟି ହାତୀ କୋରାପୁଟ ଜିଲାରେ ଦେଖା ଯାଇଥିଲା। ତେବେ ୨୦୧୫ ଓ ୨୦୧୭ ମସିହା ଗଣନା ଅନୁଯାୟୀ କୋରାପୁଟ ଜିଲାରେ ହାତୀ ଥିବାର ତଥ୍ୟ ହସ୍ତଗତ ହୋଇନାହିଁ।

ସେହିପରି ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ଅର୍ଥାତ ୩ ବର୍ଷରେ ରାଜ୍ୟରେ ମୋଟ ୨୪୫ଟି ହାତୀ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରୀ ପ୍ରଦୀପ ଅମାତ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି।

nis-ad
Leave A Reply

Your email address will not be published.