ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସର ସମୀକ୍ଷା ବୈଠକ : କର୍ଡନ ଓ ରଥ ଟଣା ଦାୟିତ୍ୱରେ ରହିବେ ବରିଷ୍ଠ ପଦାଧିକାରୀ

ପୁରୀ: ସ୍ନାନ ଯାତ୍ରା ସଫଳତା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ବଡଦାଣ୍ଡର ୨୨ଟି ସ୍ଥାନକୁ ଚିହ୍ନଟ କରାଯାଇ କଡା ସୁରକ୍ଷା ଗ୍ରହଣ କରାଯିବ ବୋଲି ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି।

ଜୁଲାଇ ୧ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ପୋଲିସ ପ୍ରଶାସନ ସବୁଦିଗକୁ ନେଇ ନିଜର ପ୍ରସ୍ତୁତି କରୁଛି। ଏସପିଙ୍କ ସମ୍ମିଳନୀ କକ୍ଷରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତିନି ଜୋନର ଆଇଜିଙ୍କ ସହ ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦେଇ ଏ ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ, ଗୁଣ୍ଡିଚା ମନ୍ଦିର ଭିତର ଓ ବାହାର, ତିନି ରଥର ଇନର ଓ ଆଉଟଡୋର କର୍ଡନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସାହି ଓ ଗଳିକନ୍ଦି, ଜନଗହଳି ନିୟନ୍ତ୍ରଣ, ରଥଟଣା, ଭିଭିଆଇପିଙ୍କ ସୁରକ୍ଷା ଓ ଦର୍ଶନ ନେଇ ଆଲୋଚନା ହୋଇଛି।

ଏହି ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁ କେଉଁ ସ୍ଥାନରେ କେତେ ପୋଲିସ ମୁତୟନ ରହିବେ, ଷ୍ଟ୍ରାଇକିଙ୍ଗ ଫୋର୍ସ ଓ ସେକ୍ଟର ସ୍ତରୀୟ ଅଧିକାରୀ ନିୟୋଜିତ ନେଇ ଆଲୋଚନା ହୋଇଥିଲା। କେବଳ ଶ୍ରୀମନ୍ଦିର ଭିତରେ ୧୩ଟି ସେକ୍ଟରରେ ବିଭକ୍ତ କରାଯିବ। ଆଇନଶୃଙ୍ଖଳା ଏଡିଜି ନିଜେ ପୋଲିସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ରହିବେ। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀମନ୍ଦିର ଭିତରେ, ଆଇଜି ହେଡ କ୍ବାଟର ଏସ୍. ଦେବଦତ୍ତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ୍. ପଙ୍କଜ ରଥଟଣା ଓ କର୍ଡନ ପରିଚାଳନା ଦାୟିତ୍ଵରେ ରହିବେ। ଏମାନଙ୍କୁ ସହଯୋଗ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ନିୟୋଜିତ ରହିବେ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.