ଦେବସ୍ନାନ ପୂର୍ଣ୍ଣିମାରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

ପୁରୀ: ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (Snana Yatra) । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦୁଇବର୍ଷ ଭକ୍ତମାନେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି ।

୭ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ନିକଟରେ ଅଲଗା ଅଲଗା ବ୍ୟାରିକେଡ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପୁରୀ ସହରରେ ପ୍ରାୟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି ।

୩ଜଣ କମାଣ୍ଡାଣ୍ଟ, ୭ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୧୪ଜଣ ଡିଏସପି ଓ ୩୦ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯିବ । ବଡ଼ଦାଣ୍ଡରେ ଯେଉଁ ବ୍ୟାରିକେଡ କରାଯାଉଛି, ତାହା ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ରହିବ। ଶ୍ରୀମନ୍ଦିରକୁ ଯିବାକୁ ଚାହୁଁନଥିବା ଭକ୍ତଙ୍କ ପାଇଁ ବ୍ୟାରିକେଡ ସିଂହଦ୍ଵାର ସେଡ଼ ପର୍ଯ୍ୟନ୍ତ ରହିବ । ଚଳିତବର୍ଷ ସ୍ନାନଯାତ୍ରାରେ ସିଂହଦ୍ଵାର ସେଡ଼ ଖୋଲାଯିବନି । ସେଡ଼ ଦେଇ ଭକ୍ତମାନେ ସ୍ନାନବେଦୀରେ ବିଜେ ହୋଇଥିବା ମହାପ୍ରଭୁଙ୍କ ଦର୍ଶନ ସାରି ଏମାର ମଠ ଚକଡ଼ା ଦେଇ ବାହାରି ପାରିବେ। ନଚେତ୍ ସିଂହଦ୍ଵାରରୁ ବାମପାର୍ଶ୍ଵକୁ ଦୋଳମଣ୍ଡପସାହି ମୁଣ୍ଡ ଦେଇ ବାହାରି ପାରିବେ।

କିନ୍ତୁ ଯେଉଁମାନେ ଶ୍ରୀମନ୍ଦିର ଯାଇ ସ୍ନାନବେଦୀ ଆଗରୁ ଦର୍ଶନ କରିବେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ଜିଗ୍‌ଜାଗ ବ୍ୟାରିକେଡ ରହିବ। ଏଥିପାଇଁ ସୂଚନା କେନ୍ଦ୍ର ସମ୍ମୁଖ ଦେଇ ୫ ଟିକିଆ ଜିଗ୍‌ଜାଗ ବ୍ୟାରିକେଡ କରାଯାଇଛି। ଭକ୍ତମାନେ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ସ୍ନାନବେଦୀରେ ଦର୍ଶନ ପରେ ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିବେ । ବଡ଼ ଦାଣ୍ଡର ମରିଚି କୋଟ ଛକରୁ ଶ୍ରୀମନ୍ଦିର ସିଂହ ସମ୍ମୁଖ ଅଞ୍ଚଳକୁ ନୋ-ପାର୍କିଂ ଜୋନ କରାଯାଇଛି । ସେହିପରି ଦୁଇ ଚକିଆ, ଚାରି ଚକିଆ ଯାନର ପାର୍କିଂ ପାଇଁ ୬ଟି ସ୍ଥାନ ବ୍ୟବସ୍ଥା ହୋଇଛି ।

nis-ad
Leave A Reply

Your email address will not be published.