ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ : ଜିଲ୍ଲାପାଳ

ଛତ୍ରପୁର(୦୯.୦୬) : ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ବାରା ଗଞ୍ଜାମ ଜିଲ୍ଳା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍ ର ଭୟାବହତା ପରେ ସୁରଟ ଏବଂ ରାଜ୍ୟ ବାହାରୁ ଅନେକ ନିଜ ପରିବାର ସମେତ ଗଞ୍ଜାମ ଜିଲ୍ଲାକୁ ସବୁଦିନ ପାଇଁ ପ୍ରତ୍ୟାବର୍ତ୍ତ କରିଛନ୍ତି । ସେମାନଙ୍କ ପରିବାର ମଧ୍ୟରେ ଅନେକ ପିଲା ଅଛନ୍ତି , ଯେଉଁମାନେକି ଶିକ୍ଷା ବ୍ୟବସ୍ଥାରେ ଜଡିତ ନହୋଇ ନିଜ ପରିବାରକୁ ଆର୍ଥିକ ସ୍ବାବଲମ୍ବୀ କରିବା ଦିଗରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଇଟାଭାଟି, କାଜୁ ଫ୍ୟାକ୍ଟ୍ରି, ହୋଟେଲ, ଠେଲାଗାଡି ଇତ୍ୟାଦିରେ ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଯାହାକି ନିୟମ ବିରୁଦ୍ଧ । ଏହି ଦୃଷ୍ଟିରୁ ଗତ ପ୍ରାୟ ୧୫ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ରାଜ୍ୟ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଚଳିତ ଜୁନ୍ ମାସ ୩ ଓ ୪ ତାରିଖରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିଥିଲା । ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ରୂପେ ଯେଭଳି ଗଞ୍ଜାମ ଜିଲ୍ଲା୍ ସୁନାମ ଅର୍ଜନ କରିବ ସେଥିନିମନ୍ତେ ସମସ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । ଅଧାରୁ ପାଠ ଛାଡି ଯାଉଥିବା ପିଲା ମାନଙ୍କୁ ଚିହ୍ନଟ କରି ସେମାନେ କିଭଳି ଶିକ୍ଷା ବ୍ୟବସ୍ଥାରେ ଜଡିତ ହୋଇ ସ୍ବାବଲମ୍ବୀ ହେବେ ସେ ଦିଗରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ ବ୍ଲକ୍ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ସ୍ତରରେ ବ୍ରହ୍ମପୁର ମହାନଗର ନିଗମ ଅଧିକାରୀ ଏବଂ ଡୁଡାର ପ୍ରକଳ୍ନ ଅଧିକାରୀ ନୋଡାଲ ଅଧିକାରୀ ଭାବେ ଦାୟୀତ୍ବ ବହନ କରିବେ ।


ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କ ଜରିଆରେ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁନଃ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ। ଶିଶୁ ଶ୍ରମିକ ମାନଙ୍କୁ ନିଯୁକ୍ତି ନ ଦେବାପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ବ୍ୟାପକ ପ୍ରଚାରପ୍ରସାର କରାଯିବ । ସେହିପରି ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ ଓ ପୋଲିସ ତରଫରୁ ଚଢାଉ କରାଯାଇ ନିଯୁକ୍ତି ଦାତାଙ୍କ ନିକଟରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ପୁନଃ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ବ୍ୟବସାୟୀକ ସଂସ୍ଥାର ମାଲିକମାନେ ଶ୍ରମ ଆଇନ ଅନୁଯାଇ ନିଜ ବ୍ୟବସାୟୀକ ଅନୁଷ୍ଠାନରେ ଶିଶୁ ଶ୍ରମିକ ନିଯୁକ୍ତି ହୋଇ ନ ଥିବା ସମନ୍ଧରେ ଘୋଷଣାନାମା ଦର୍ଶାଇବେ । ଏହାର ଖୁଲାପ କଲେ ବିଶେଷ କ୍ଷେତ୍ରରେ ନିଯୁକ୍ତି ଦାତାଙ୍କଠାରୁ ଜୋରିମାନା ଆଦାୟ କରାଯିବ । ପରବର୍ତ୍ତୀ ସମୟରେ ଜନସାଧାରଣ ଶିଶୁ ଶ୍ରମିକ ନିଯୁକ୍ତି ସମନ୍ଧରେ ଯେ କୌଣସି ତଥ୍ୟ ଜିଲ୍ଲା ପ୍ରଶାସନ , ଶ୍ରମ ବିଭାଗ , ଚାଇଲ୍ଡ ଲାଇନ ଓ ପୋଲିସଙ୍କୁ ଜଣାଇବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଶିଶୁ ଶ୍ରମିକ ସମ୍ପର୍କରେ ଅବଗତ କରାଇଲେ ସେମାନଙ୍କର ନାମ ଗୋପନ ରଖାଯାଇ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍, ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, , ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ. ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଚାଇଲ୍ଡ ଲାଇନର ସଦସ୍ୟ , ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ସଂସ୍ଥା ଗୁଡିକର ମାଲିକମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.