ପୋଖରୀ ଖୋଳୁ ଖୋଳୁ ବାହାରିଲା ପଥର ମୂର୍ତ୍ତିର ଭଗ୍ନାଂଶ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ପୋଖରୀ ଖନନ ବେଳେ ଚାରି ଫୁଟର ଏକ ଭଗ୍ନ ଅଂଶର ପଥର ମୂର୍ତ୍ତି ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ବେଶ୍ ଚକିତ ହୋଇ ଉଠିଛନ୍ତି । ମୂର୍ତ୍ତି ଉଦ୍ଧାର ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।

ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ରମାକାନ୍ତ ରାଉତଙ୍କ ଚାଷ ଜମିରେ ଏକ ପୋଖରୀର ପୁନଃଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ତେବେ ମେସିନ୍ ସାହାଯ୍ୟରେ ପୋଖରୀ ଖନନ କାର୍ୟ୍ୟ ଚାଲୁ ରହିଥିବା ବେଳେ ହଠାତ୍ ମେସିନରେ ଲାଗିଥିଲା ଏକ ବିରାଟ ପଥର ଖଣ୍ଡ । ପରେ ଏହାକୁ ଉପରକୁ ଉଠାଇବା ପରେ ଏହା କୌଣସି ଏକ ମୂର୍ତ୍ତିର ଭଗ୍ନାଂଶ ବୋଲି ଜାଣିବାକୁ ମିଳିଛି । ତେବେ ଏହା କେଉଁ ମୂର୍ତ୍ତି ତାହାର ପରିଚୟ ଜଣା ପଡିନଥିବା ବେଳେ, ଏହା ନାରାୟଣଙ୍କ ମୂର୍ତ୍ତୀ ବୋଲି କହିଥିଲେ ଅଞ୍ଚଳର ଜଣେ ମୂର୍ତ୍ତି କାରିଗର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୂର୍ତ୍ତି ବାହାରିଥିବା ସ୍ଥାନର ପାଖ ଅଞ୍ଚଳରେ ଅନେକ ପଥର ମୂର୍ତ୍ତି ତଥା କୀର୍ତ୍ତିରାଜର ପ୍ରମାଣ ମିଳିଥାଏ ।

ବିଶେଷ କରି କାଏମା, ରାଧାନଗର ଓ ବୌଦ୍ଧ ବିହାର ଲାଙ୍ଗୁଡ଼ିରେ ବହୁ ପୁରାତନ ପଥର ମୂର୍ତ୍ତୀ, ଓ ବୌଦ୍ଧ କୀର୍ତ୍ତିରାଜିର ପ୍ରମାଣ ଥିବାବେଳେ ଅଚ୍ୟୁତପୁର ଗ୍ରାମରୁ ଏହି ମୂର୍ତ୍ତି ଉଦ୍ଧାର ପରେ ଅଞ୍ଚଳ ବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଅଞ୍ଚଳରୁ ବାରମ୍ବାର ଏଭଳି ପ୍ରାଚୀନ ମୂର୍ତ୍ତି ବାହାରୁଥିବା ବେଳେ ପ୍ରତ୍ନତତ୍ତ୍ଵ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.