ଭରତପୁର ଥାନା ଘଟଣା: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ସେନା କମାଣ୍ଡର

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମହଶ ମାରିବା ଘଟଣା ଏବେ ତେଜିବାରେ ଲାଗିଛି । ପୋଲିସର କାର୍ଯ୍ୟ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସୁରକ୍ଷା ଦେଉଥିବା ଲୋକ ଯଦି ଏପରି କରିବ ତାହାଲେ ଲୋକେ ସୁରକ୍ଷା ମାଗିବା କାହାକୁ । ତା ଉପରେ ପୁଣି ବାନ୍ଧବୀଙ୍କ ଚାଞ୍ଚଲ୍ୟ ବୟାନ ଏହି ଘଟଣାକୁ ଆଉ ଏକ ମୋଡ ଦେଇଛି । ଯଦି ବାନ୍ଧବୀ କହୁଥିବା କଥା ସଂପୂର୍ଣ୍ଣ ସତ ହୋଇଥାଏ, ତାହାଲେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଯେ କେତେ ବିପର୍ଯ୍ୟସ୍ତ ଏହା ତାହାର ନଗ୍ନ ଚିତ୍ର ବଖାଣିବ । ସେପଟେ ଆକ୍ସନ ମୋଡରେ କ୍ରାଇମ ବ୍ରାଞ୍ଚ ଓ ମହିଳା କମିଶନ । ଅପରାଧିକ ମାମଲା ରୁଜ୍ଜୁ କରି ଘଟଣାର ଖୋଳତାଳ କରୁଛନ୍ତି । ଏନେଇ ମୂଳ ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରି ପଚରାଉଚରା କରୁଛି ଚନ୍ଦକା ପୋଲିସ୍ ।

ସେପଟେ ଏହି ଘଟଣା ରାଜ୍ୟ ତ ରାଜ୍ୟ ଜାତୀୟ ବାତାବରଣରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଚାରିଆଡେ ବିରୋଧ ଓ ଆକ୍ରୋଶ ଦେଖିବାକୁ ମିଳିଛି । ଏହି ଘଟଣାରେ ତୀବ୍ର ପ୍ରତିକ୍ରିହା ପ୍ରକାଶ କରିଛନ୍ତି ଅନ୍ୟ ସେନା ଅଧିକାରୀ । ଏମିତି କି ଏହି ଘଟଣାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ । କିଭଳି ଜଣେ ସେନା ଅଧିକାରୀ ଥାନାକୁ ସୁରକ୍ଷା ମାଗିବାକୁ ଯାଇ ପୋଲିସଙ୍କ ଠାରୁ ମାଡ ଖାଇଛନ୍ତି ତାହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଏହାସହିତ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ସେନା କମାଣ୍ଡର । ଏଥିସହିତ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିଜ ଚିଠିରେ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ସେନା କମାଣ୍ଡର ।

ତେବେ ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଏଥିରେ କମିସନରେଟ୍ ପୁଲିସ ମୂଳ ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରିଛି । ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରି ପଚରାଉଚରା ଜାରି କରିଛି ଚନ୍ଦକା ପୋଲିସ୍ ।  ଏଥିସହିତ ମହିଳା କମିଶନ ମଧ୍ୟ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.