ଋଣ ଶୁଝି ପାରିଲାନି ବୋହୂ, ମାଡ଼ ଖାଇଲେ ଶାଶୁ

ଆଳି: ଜଣେ ମହିଳା ଋଣ ନେଇ ଶୁଝି ନ ପାରିବାରୁ ତାଙ୍କ ୮୦ ବର୍ଷୀୟା ଶାଶୁଙ୍କୁ ମାଡ଼ ମାରି ବନ୍ଧକ ରଖିଲେ ମହିଳା ସମିତି ସଭାପତି। ଏମିତି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ।ଗଞ୍ଜା ଗାଁର ଏକ ମହିଳା ସମିତିରୁ ୪୦ ହଜାର ଟଙ୍କା ଋଣ ନେଇଛନ୍ତି ପୂଜା ରାୟ।

ତାଙ୍କ କହିବା ମୁତାବକ, ସେ କିସ୍ତିରେ ଋଣ ଶୁଝୁଛନ୍ତି। ଡିସେମ୍ବର ମାସରୁ ବର୍ତ୍ତମାନ ସୁଦ୍ଧା ୫ଟି କିସ୍ତି ଦେଇ ସାରିଲେଣି। ଚଳିତ ମାସରେ ଟିକେ ବିଳମ୍ବ ହେବାରୁ ଏପରି ଏକ ଘଟଣା ଘଟିଛି। ସ୍ୱାମୀ ଅସୁସ୍ଥ ହୋଇପଡ଼ିଥିବାରୁ ସେ ଦିଲ୍ଲୀରେ ଅଛନ୍ତି। ଘରେ କେବଳ ତାଙ୍କ ଝିଅ ଓ ଶାଶୁ ଅଛନ୍ତି। ଗତକାଲି ଏହି ଘଟଣା ଘଟିବା ବେଳେ ତାଙ୍କ ଝିଅ ଘରେ ନଥିଲା।

ପୂଜା ଘରେ ଅନୁପସ୍ଥିତ ଥିବା ବେଳେ ଗାୟତ୍ରୀ ସେଠାରେ ପହଞ୍ଚି ତାଙ୍କ ଶାଶୂ ସରସ୍ୱତୀ ରାୟଙ୍କୁ ଟଙ୍କା ମାଗିଥିଲେ। ହେଲେ ସରସ୍ୱତୀ ଟଙ୍କା ବିଷୟରେ କିଛି ଜାଣି ନାହାନ୍ତି କହିବା ପରେ ଗାୟତ୍ରୀ ତାଙ୍କୁ ଗାଳିଗୁଲଜ କରିବା ସହିତ ତଣ୍ଟିଆ ମାରିଥିଲେ। ଫଳରେ ସରସ୍ୱତୀ ପଡ଼ି ଯାଇଥିଲେ। ତା’ପରେ ଗାୟତ୍ରୀ ତାଙ୍କୁ ଘରେ ତାଲା ପକାଇ ପଳାଇଥିଲେ। ପ୍ରାୟ ୪ ଘଣ୍ଟା ଧରି ସେ ନିଜ ଘରେ ବନ୍ଦୀ ହୋଇ ରହିଥିଲେ।

ଗାଁର କିଛି ଯୁବକ ଘଟଣା ସଂପର୍କରେ ରାଜକନିକା ଥାନାକୁ ଖବର ଦେଇଥିଲେ। ଏହା ପରେ ପୁଲିସ୍ ପହଞ୍ଚି ସରସ୍ୱତୀଙ୍କୁ ବନ୍ଦ ଘର ଭିତରୁ ଉଦ୍ଧାର କରିଥିଲେ। ତା’ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କାରଣ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା।

ସରସ୍ୱତୀ ରାୟ କହିଛନ୍ତି, ସେ (ଗାୟତ୍ରୀ) ଗାଳିଗୁଲଜ କଲା। ମୁଁ କହିଲି ପଇସାପତ୍ର ବିଷୟରେ ମୋତେ କିଛି ଜଣାନାହିଁ। ମୋ ବୋହୂ ନେଇଛି ପଇସା। କିନ୍ତୁ ଘର ମୋର। ଘର ମୁଁ କରିଛି ଓ ମୁଁ ରହୁଛୁ। ମୋତେ କାହିଁକି ମୋ ଘରେ ତାଲା ପକାଉଛୁ? ଏତିକି କହିବା ମାତ୍ରେ ସେ ମୋତେ ତଣ୍ଟିଆ ପକାଇଥିଲା। ମୁଁ ପଡ଼ିଯିବା ପରେ ସେ ମୋତେ ଘରେ ତାଲା ପକାଇ ପଳାଇଥିଲା। ତା’ ସାଙ୍ଗରେ ତା’ ପୁଅ ଆସିଥିଲା।

ସରସ୍ୱତୀଙ୍କୁ ଘରେ ତାଲା ପକାଇ ଦେବା ଠିକ୍ ହୋଇନି ବୋଲି ଗାୟତ୍ରୀ ନିଜେ ସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କୁ ତଣ୍ଟିଆ ମାରିବା ଘଟଣାକୁ ଖଣ୍ଡନ କରିଛନ୍ତି। କାରଣ ଆଉ କିଛି ଘଟି ନଥିଲା ବୋଲି ସେ କହିଛନ୍ତି।

ଗତକାଲି ସରସ୍ୱତୀ ରାୟଙ୍କ ପରିବାର ପକ୍ଷରୁ ରାଜକନିକା ଥାନାରେ ମହିଳା ସମିତି ସଭାପତି ଗାୟତ୍ରୀ ମହଲାଙ୍କ ନାଁରେ ଏତଲା ଦିଆଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ପୁଲିସ୍ ଗାୟତ୍ରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

nis-ad
Leave A Reply

Your email address will not be published.