ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ ମୁଖ୍ୟ ଫାଟକ ପ୍ରସଙ୍ଗ, ହସ୍ତକ୍ଷେପ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁଖ୍ୟ ଫାଟକ ଦେଇ ଯିବା ଲାଗି ପ୍ରତିଦିନ ରଙ୍ଗରୁଟ୍‌ରେ ଯିବାକୁ ପଡୁଛି । କ୍ୟାମ୍ପସ ଭିତରକୁ ପଶିବା ପାଇଁ ଏହି ରଙ୍ଗରୁଟ୍‌ରେ ଯାଉଥିବାରୁ ପ୍ରତିଦିନ ୮ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ଙ୍କ ତତ୍ତ୍ୱାବଧାନରେ ଓଭରବ୍ରିଜ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀ ନିଷ୍ପତ୍ତି ନେଲେ ନୂତନ ମୁଖ୍ୟ ଫାଟକ ବିଶ୍ୱବିଦ୍ୟାଳୟ ଓ ଡିଡିସିଇ ମଝିରେ କରାଯିବ । ଯାହାଦ୍ୱାରା ଟ୍ରାଫିକ ସମସ୍ୟାର ଅନ୍ତ ଘଟିବ । ହେଲେ ଏହି ଘୋଷଣାର ୩ବର୍ଷ ପରେ ବି କାମ ଆରମ୍ଭ ହୋଇପାରିନି । ତେଣୁ ଏଥିରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ।

କମିଶନର ସଦସ୍ୟ ଅସୀମ ଅମିତାଭ ଦାସ ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ, ଭୁବନେଶ୍ୱର ମହାନଗର ନିଗମର କମିଶନର, ଟ୍ରାଫିକ୍‌ ଡିସିପି ଓ ଏନଏଚ୍‌ଏଆଇ ପ୍ରକଳ୍ପ ପ୍ରବନ୍ଧକଙ୍କୁ ଜୁଲାଇ ୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ପ୍ରବୀର କୁମାର ଦାସ ଏ ନେଇ ଓଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ ଲୋଡିଥିଲେ । ଛାତ୍ରଛାତ୍ରୀମାନେ ରଙ୍ଗ ରୁଟ୍‌ରେ ଯାଉଥିବାରୁ ପ୍ରତିଦିନ ଦୁର୍ଘଟଣାର ଶୀକାର ହେଉଛନ୍ତି । ସେମାନଙ୍କର ମାନବାଧିକାର ଉଲ୍ଲଂଘନ ହେଉଛି । ତେଣୁ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଗତ ୧୯ ତାରିଖରେ କମିଶନ ହସ୍ତକ୍ଷେପ କରିବା ସହିତ ଆସନ୍ତା ଜୁଲାଇ ୫ରେ ପୁଣି ଶୁଣାଣି କରିବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ମୁଖ୍ୟ ଫାଟକ ପାଇଁ ୨୦୨୧ ମସିହାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକାରୀ, ପୋଲିସ୍‌ କମିଶନର ବହୁ ଅଧିକାରୀଙ୍କ ସହ ମିଳିତ ଭାବେ ଏକ ବୈଠକ କରିଥିଲେ । ନୂତନ ପ୍ରବେଶ ପଥର ଡିଜାଇନ୍‌ ବି ପ୍ରସ୍ତୁତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ମୁଖ୍ୟ ଫାଟକ ପାଇଁ ୫କୋଟି ବ୍ୟୟବରାଦ ବି କରାଯାଇଛି । ହେଲେ ଏସବୁ କିନ୍ତୁ ଏହି ନିଷ୍ପତ୍ତି କେବଳ କଥାରେ ଅଟକି ଯାଇଛି । ପିଲାଙ୍କ ଜୀବନ ବାଜି ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ସୁରକ୍ଷା ଲାଗି ନାନାଦି ଯୋଜନା କରୁଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ କିନ୍ତୁ ରଙ୍ଗ ରୁଟ୍‌ରେ ଯିବା ପାଇଁ ବାଧ୍ୟ କରାଯାଉଛି । ତେଣୁ ତୁରନ୍ତ ନୂଆ ମୁଖ୍ୟ ଫାଟକ ନିର୍ମାଣ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଆଇନଜୀବୀ ଶ୍ରୀ ଦାସଙ୍କ ସମେତ ଅନ୍ୟ ବହୁ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି । ଏବେ ଓଏଚ୍‌ଆର୍‌ସି କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ପରେ ଶୀଘ୍ର କାମ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

nis-ad
Leave A Reply

Your email address will not be published.