କୋଇଲା ଚୋରି: ମମତାଙ୍କ ପୁତୁରା ଓ ବୋହୂଙ୍କୁ ଜେରା କରିବ ଇଡି

କୋଲକାତା: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ କୋଇଲା ଚୋରି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂଙ୍କୁ ଜେରା କରିବ ଇଡି। ଏନେଇ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। ୨୪ ଘଣ୍ଟାର ନୋଟିସ୍‌ ଦେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଲକାତାରେ ତାଙ୍କୁ ପଚରାଉଚରା କରିପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପଶ୍ଚିମବଙ୍ଗରେ ଅର୍ଥ ହେରଫେର ତଥା ବେଆଇନ କୋଇଲା ଖନନ ଏବଂ ଚୋରି ଅଭିଯୋଗ ମାମଲାରେ ଇଡି ତ୍ରୁଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କୁ ପ୍ରଶ୍ନ କରିପାରବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ପ୍ରକୃତରେ ଅଭିଷେକ ବାନାର୍ଜୀ ଦିଲ୍ଲୀରେ ନୁହେଁ ବରଂ ତାଙ୍କ ରାଜ୍ୟରେ ପଚରାଉଚରା ପାଇଁ ଦାବି କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୋଲକାତାରେ ଇଡି ପଚରାଉଚରା କରେ ତେବେ ରାଜ୍ୟ ସରକାର ଇଡିର ସହଯୋଗ କରିବେ। ତାଙ୍କ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ରାଜ୍ୟ ଦ୍ୱାରା କୌଣସି ପ୍ରକାରର ପ୍ରତିବନ୍ଧକ ଏବଂ ହସ୍ତକ୍ଷେପକୁ କୋର୍ଟ ବରଦାସ୍ତ କରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଇଡି ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗ ଆସେ, ତେବେ କୋର୍ଟଙ୍କ ଅନୁମତି ବିନା ପୁଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଯଦି ସେପରି କିଛି ଘଟେ ତେବେ ସୁରକ୍ଷା ପ୍ରତ୍ୟାହାର କରି ନିଆଯିବ। ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୯ ଜୁଲାଇରେ ହେବ।
ସେପଟେ ତଦନ୍ତକାରୀ ସଂସ୍ଥା ଦ୍ୱାରା ପଠାଯାଇଥିବା ସମନର ଉତ୍ତର ଦେଇନଥିବା ଅଭିଯୋଗରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ଦ୍ୱାରା ଜାରି ଜାମିନଗତ ୱାରେଣ୍ଟ ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ୍‌ ଲାଗଇ ଦେଇଛନ୍ତି। ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରୁଜିରା ବାନାର୍ଜୀଙ୍କ ନାଁ ମଧ୍ୟ ସାମିଲ ଅଛି।
ପୂର୍ବରୁ ଇଡି ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କ ନାମରେ ସମନ ଜାରି କରି ମାର୍ଚ ୨୨ ଓ ୨୩ ତାରିଖରେ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଥିଲା। ଏ‌ ନେଇ ଅଭିଷେକ ଓ ତାଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଅଦାଲତ ତାଙ୍କୁ କୌଣସି ପ୍ରକାରର ଛାଡ଼ କରିବାକୁ ମନା କରି ଦେଇଥିଲେ। ସାଂସଦ ବାରମ୍ବାର ସେଇ ଗୋଟାଏ କଥା ଦାବି କରି ଆସୁଥିଲେ ଯେ ଇଡି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ନୁହେଁ କୋଲକାତାରେ ପ୍ରଶ୍ନ କରୁ ବୋଲି। ଆଉ କଳାକ୍ରମେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ଉଲ୍ଲେଖ ଯୋଗ୍ୟ ଯେ, କୋଇଲା ଚୋରି ପ୍ରସଙ୍ଗ ପଶ୍ଚିବମଙ୍ଗରେ ବିଭିନ୍ନ ସମୟରେ ଇଡି ରେଡ୍‌ କରିଥିଲା। ଅଭିଷେକ ବାନାର୍ଜୀଙ୍କ ଘରେ ମଧ୍ୟ ତଦନ୍ତକାରୀ ସଂସ୍ଥା ପହଞ୍ଚିଥିଲା। ହେଲେ ଏହା କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ଜାଣିଶୁଣି ଏପରି ହଇରାଣ କରୁଛି ଓ କ୍ଷମତାର ଅପବ୍ୟବହାର କରୁଛି ବୋଲି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ।

nis-ad
Leave A Reply

Your email address will not be published.