କେରଳରେ ଦ୍ୱିତୀୟ MPox ରୋଗୀ ଚିହ୍ନଟ

ଭାରତରେ ବଢୁଛି MPox ମାମଲା । କେରଳରେ ଏବେ ଦ୍ୱିତୀୟ ମାମଲା ରିପୋର୍ଟ କରାଯାଇଛି । ରାଜ୍ୟର ଏର୍ନାକୁଲମ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ରୋଗୀଙ୍କୁ ହସ୍ପିଟାଲରେ ଆଇସୋଲେଟ୍‌ କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଷ୍ଟ୍ରେନ୍‌ ଚିହ୍ନଟ ହୋଇ ନ ଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

କେରଳ ରୋଗୀଙ୍କଠାରେ ମଙ୍କିପକ୍ସର ଭାଇରସ୍‌ ମିଳିଛି । ସଂକ୍ରମିତ ବ୍ୟକ୍ତି ନିକଟରେ ୟୁଏଇରୁ ଏର୍ନାକୁଲମ୍‌ ଫେରିଥିଲେ । ଯାଞ୍ଚ ପରେ ସେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା, ଯାହା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଅଲପୁଝାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଲ୍ୟାବ୍‌ରେ ନମୁନାର ଯାଞ୍ଚ କରାଯାଇଛି । ନମୁନାକୁ ଜିନୋମିକ୍‌ ସିକ୍ୱେନସିଙ୍ଗ୍‌ ପାଇଁ ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି । କେରଳରେ ଏମ୍‌ପକ୍ସର ଏହା ହେଉଛି ଦ୍ୱିତୀୟ ଏବଂ ଦେଶରେ ଚଳିତ ବର୍ଷର ତୃତୀୟ ମାମଲା ।

ଏର୍ନାକୁଲମ୍‌ ପୂର୍ବରୁ ସେପ୍ଟେମ୍ବର ୧୮ରେ ମଲପୁରମ୍‌ ଏଡ୍‌ଭନ୍ନାର ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କଠାରେ ଏମ୍‌ପକ୍ସ ଚିହ୍ନଟ ହୋଇଥିଲା । ଏମ୍‌ପକ୍ସ ପୂର୍ବରୁ ମଙ୍କିପକ୍ସ ନାମରେ ଜଣାଯାଉଥିଲା । ଏହା ଏକ ଭାଇରାଲ ଇନ୍‌ଫେକ୍ସନ, ଯାହା ମଙ୍କିପକ୍ସ ଭାଇରସ୍‌ (MPXV) କାରଣରୁ ହୋଇଥାଏ । ଏହା ଅର୍ଥୋପକ୍ସ ଭାଇରସ୍‌ ଜିନସ୍‌ର ଏକ ପ୍ରଜାତି । ୧୯୫୮ ମସିହାରେ ବୈଜ୍ଞାନିକମାନେ ପ୍ରଥମେ ଏହାକୁ ଚିହ୍ନଟ କରିଥିଲେ ।

nis-ad
Leave A Reply

Your email address will not be published.