ଲଡ଼ୁ ବିବାଦ: ତିରୁମାଲା ମନ୍ଦିର ଯାଇ ପାରିଲେନି ଜଗନ, କହିଲେ- କ୍ଷମତାରେ ଅଛନ୍ତି ରାକ୍ଷସ

ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଡିଟିପି ସରକାର ଉପରେ ଆଜି ବର୍ଷିଛନ୍ତି ୱଇଏସଆର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ରାଜ୍ୟରେ ବର୍ତ୍ତମାନ ରାକ୍ଷସମାନେ କ୍ଷମତାରେ ରହିଛନ୍ତି। ମନ୍ଦିରକୁ ଯିବାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିବା ଏପରି ଏକ ରାଜନୀତିକ ଦଳକୁ କେହି କେବେ ଦେଖି ନଥିବେ ବୋଲି ମଧ୍ୟ ଜଗନ କହିଛନ୍ତି।

ତିରୁପତି ଲଢ଼ୁ ବିବାଦ ମଧ୍ୟରେ ଆଜି ଜଗନ ମୋହନ ତିରୁମାଳା ମନ୍ଦିର ଯିବାର ଥିଲା। ତେବେ ତାଙ୍କ ଗସ୍ତ ବାତିଲ ହେବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଗନ ଆଜି ରାତିରେ ତିରୁମାଳା ମନ୍ଦିରରେ ପହଞ୍ଚି ଥାଆନ୍ତେ ଓ ଶନିବାର ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।

ତେବେ ସେ ତାଡେପାଲ୍ଲେରୁ ତିରୁପତି ଯିବା ପୂର୍ବରୁ ତାଙ୍କ ଆସ୍ଥାର ଘୋଷଣାପତ୍ର ସାର୍ବଜନୀନ କରିବା ଦାବି ତେଜିଥିଲା। ସେହିପରି ତାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା। ଏହି କାରଣରୁ ସେ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି।

ଏହାପରେ ଜଗନ କହିଛନ୍ତି, “ମୋ ମନ୍ଦିର ଗସ୍ତରେ ବିଭ୍ରାଟ କରିବା ପାଇଁ ସେମାନେ ଗୋଟିଏ ପଟେ ନୋଟିସ ପଠାଉଛନ୍ତି। ଅନ୍ୟପଟେ ବିଜେପି କ୍ୟାଡରମାନେ ଅନ୍ୟ ସ୍ଥାନରୁ ରାଜ୍ୟକୁ ଆସୁଛନ୍ତି। ଅନେକ ସ୍ଥାନରେ ବିପୁଳ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯାଇଛି। ବିଜେପି ନେତୃବୃନ୍ଦ ଏ ସମ୍ପର୍କରେ ଜାଣିଛନ୍ତି କି ନାହିଁ, ସେକଥା ଜାଣିନି। 

ରାଜନୀତିକ ପ୍ରସଙ୍ଗକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଢ଼ୁ ବିବାଦ ଆଣିଛନ୍ତି। ଲଡ଼ୁ ତିଆରିରେ ପଶୁ ଚର୍ବି ମିଶା ଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହା ତିରୁମାଲାର ପବିତ୍ରା ଓ ସ୍ୱଚ୍ଛା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କ’ଣ ଯଥାର୍ଥ? ଟିଟିଡି ଲଡ଼ୁ ପ୍ରସାଦମକୁ ନେଇ ଚନ୍ଦ୍ରବାବୁ ନାଇଡୁ ଡାହା ମିଛ କହୁଛନ୍ତି।”

ବିଶ୍ୱାସ ଓ ଆସ୍ଥାର ଘୋଷଣାପତ୍ର ଜାରି କରିବା ପ୍ରସଙ୍ଗରେ ଜଗନ କହିଛନ୍ତି, “ମୋ ଜାତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ମୁଁ ଘରେ ବାଇବେଲ ପଢ଼େ। ମୁଁ ହିନ୍ଦୁତ୍ୱ, ଇସଲାମ, ଶିଖ ଧର୍ମକୁ ଅନୁସରଣ ଓ ସମ୍ମାନ କରେ। ମୁଁ ମାନବିକତାର ସଂପ୍ରଦାୟରରୁ ଆସିଛି। ଭାରତର ସମ୍ବିଧାନ କ’ଣ କହୁଛି? ଜଣେ ମୁଖ୍ୟମନ୍ତ୍ରୀ ସ୍ତରର ଲୋକକୁ ମନ୍ଦିର ଯିବାକୁ ଅନୁମତି ମିଳୁନି, ତା’ହେଲେ ଦଳିତଙ୍କୁ କେମିତି ବ୍ୟବହାର କରାଯାଉଥିବ?”

ବିବାଦ ସତ୍ତ୍ୱେ ସେପ୍ଟେମ୍ବର ୨୮ରେ ଜଗନ ମନ୍ଦିର ଯିବେ ବୋଲି କହିଥିଲେ। ଲଡ଼ୁ ବିବାଦ ସୃଷ୍ଟି କରି ଚନ୍ଦ୍ରବାବୁ କରିଥିବା ପାପକୁ ଧୋଇବା ପାଇଁ ରାଜ୍ୟବ୍ୟାପୀ ମନ୍ଦିର ପବିତ୍ରକରଣ କାର୍ଯ୍ୟକ୍ରମ ୱାଇଏସଆରସିପି ପକ୍ଷରୁ କରାଯିବ ବୋଲି କୁହାଯାଇଥିଲା।

ଲଡ଼ୁ ପାଇଁ ବ୍ୟବହାର ହେଉଥିବା ଘିଅର ଟେଣ୍ଡର ପ୍ରକ୍ରିୟା ସପକ୍ଷରେ ଜଗନ ମୋହନ ମତ ରଖିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମିଛ କହୁଛନ୍ତି। ଦୀର୍ଘ ଦଶନ୍ଧି ଧରି ଘିଅ ପାଇଁ ଇ-ଟେଣ୍ଡର ପ୍ରକ୍ରିୟା ପ୍ରଚଳିତ ରହିଛି। ପ୍ରତି ୬ ମାସରେ ଏହି ପ୍ରକ୍ରିୟା କରାଯାଇଥାଏ। ତିରୁପତି ଲଡ଼ୁ ବେଶ ସ୍ୱତନ୍ତ୍ର। ମୋ ପିଲାଟି ବେଳକୁ ଏହା ସ୍ୱତନ୍ତ୍ର ବୋଲି ମୁଁ ଜାଣିଛି।

ପ୍ରତି ୬ ମାସରେ ଲଡ଼ୁ ପାଇଁ ଟେଣ୍ଡର ଡକାଯାଏ ଓ ଯିଏ କମ ଟଙ୍କା ବିଡ କରନ୍ତି, ତା’ ଉପରେ ଟିଟିଡି ବୋର୍ଡ ମୋହର ମାରେ। ଏଥିରେ ସରକାରଙ୍କର କୌଣସି ହସ୍ତକ୍ଷେପ ନ ଥାଏ। ଟିଟିଡି ବୋର୍ଡ ଅତ୍ୟନ୍ତ ସ୍ୱତନ୍ତ୍ର। କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବୋର୍ଡ ସଦସ୍ୟ ପାଇଁ ପ୍ରସ୍ତାବ ଦିଅନ୍ତି।

ଚନ୍ଦ୍ରବାବୁ ନାଇଡୁ ୨୦୧୪ରୁ ୨୦୧୯ ଯାଏ କ୍ଷମତାରେ ଥିବା ବେଳେ ୧୪ରୁ ୧୫ ଥର ଘିଅ ନିମ୍ନ ଗୁଣବତ୍ତା ଯୋଗୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ସେହିପରି ୨୦୧୯ରୁ ୨୦୨୪ ଏହା ୧୮ ଥର ଅଗ୍ରାହ୍ୟ ହୋଇଥିଲା। ତେଣୁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।”

କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ଲଡୁରେ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଲଡୁର ମାନ ପରୀକ୍ଷଣ ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବି ଅପମିଶ୍ରିତ ହୋଇଥିବା କୁହାଯାଇଥିଲା। 

nis-ad
Leave A Reply

Your email address will not be published.