ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ୨୪ ହଜାର କିଲୋମିଟର ଯାତ୍ରା ପରେ ମାଲକାନଗିରିରେ ପହଞ୍ଚିଲେ ଶ୍ୟାମ

ମାଲକାନଗିରି,(୯।୫) : ୧୦୦ ନୁହେଁ କି ୨୦୦ ନୁହେଁ, ଦିର୍ଘ ୨୪ ହଜାର କିଲୋମିଟର ସାଇକେଲ ଯାତ୍ରା କରିସାରି ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଲେ କଲିକାତା ସିଲିଗୁଡ଼ି ଅଞ୍ଚଳର ଶ୍ୟାମ ବିଶ୍ୱାସ । ବିଗତ ବର୍ଷ ଅର୍ଥାତ ୨୦୨୧ ମସିହାର ମାର୍ଚ୍ଚ ମାସ ୧ତାରିଖରୁ ଯୁବକ ଜଣଙ୍କ ଭାରତ ବର୍ଷ ସାରା ସାଇକେଲରେ ବୁଲିବା ପାଇଁ ନିଜ ଯାତ୍ରା ଆରମ୍ଭ କରିଥିଲେ । ସାଇକେଲରେ ସମସ୍ତ ପ୍ରକାର ନିତ୍ୟ ବ୍ୟବହୃତ ସାମଗ୍ରୀ ରଖି ବିଭିନ୍ନ ସ୍ଥାନ ବୁଲିବା ଆରମ୍ଭ କରିଥିଲେ ଶ୍ୟାମ । ଆଜକୁ ଦିର୍ଘ ୪୩୪ ଦିନ ହେଲା ଏହି ଶ୍ୟାମ ଘରଠାରୁ ବାହାରି ଏକ ଉତ୍କଣ୍ଠାର ସହିତ ହାର ନମାନି ଭାରତ ଭ୍ରମଣ କରି ଚାଲିଛନ୍ତି । ତେବେ ତାଙ୍କ ମୂଳ ଲକ୍ଷ୍ୟ ହେଉଛି ଭାରତ ବର୍ଷର ସମସ୍ତ ଜନ ସାଧାରଣଙ୍କ ନିକଟରେ ପରିବେଶ ସଂରକ୍ଷଣ ବାର୍ତା ପହଞ୍ଚାଇବା ସହ ଗଛ ଲଗାଇବା, ପୁରୁଣା ଗଛକୁ କାଟିବା ନାହିଁ, ଜଳ ସଂରକ୍ଷଣ କରିବା । ଏଭଳି ଏକ ଚିନ୍ତାଧାରା ନେଇ ଶ୍ୟାମ ଖରା ବର୍ଷାକୁ ଖାତିର ନକରି ଦିର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କାଶ୍ମୀର, ହରିୟାଣା, ଲଦାଖ, ଉତ୍ତରାଖଣ୍ଡ, ହିମାଚଳ, ତେଲାଙ୍ଗନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ସହ ଅନେକ ରାଜ୍ୟ ଗୁଡ଼ିକ ସେ ସାଇକେଲ ଦ୍ବାରା ଯାତ୍ରା କରିଛନ୍ତି । ତେବେ ଏହି କ୍ରମରେ ସେ ଆଜି ଓଡିଶା ରାଜ୍ୟରେ ପ୍ରବେଶ କରିବା ସହ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି । ଆଗକୁ ପୁରା ଓଡିଶା ବୁଲି ସେ ନିଜର ବାର୍ତ୍ତା ପହଞ୍ଚାଇ ପରିବେଶ ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରାଇବେ ବୋଲି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.