ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ…

ନୂଆଗାଁ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆଦି ଶୁଣିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ଦିନ ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣାଣି କରିଥିଲେ। ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ନୂଆଗାଁ ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳ ପ୍ରାୟ ୧୦୦ଟି ଆବେଦନର ଶୁଣାଣି କରିଥିଲେ। ସଂପୃକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବ୍ୟକ୍ତିଗତ ବା ସାମୁହିକ ସମସ୍ୟା ନେଇ ଆସିଥିବା ଜନସାଧାରଣ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ବିଷୟରେ ଜଣାଇଥିଲେ।

ବିଶେଷକରି ଭତ୍ତା, ରାସ୍ତା ସଂଯୋଗୀକରଣ, ସେତୁ ନିର୍ମାଣ, ଜମିଜମା ବିବାଦ, ସ୍ୱାସ୍ଥ୍ୟ, ମମତା ଗୃହ ନିର୍ମାଣ, ନୂଆଗାଁ ବଜାରର ସମ୍ପ୍ରସାରଣ, ପୋଖରୀ ପୁନରୁଦ୍ଧାର, ସ୍କୁଲ ସମସ୍ୟା, ମାର୍କେଟ କମ୍ପ୍ଲେକ୍ସ ସମସ୍ୟା, ହାଇମାଷ୍ଟ ଲାଇଟ, ଟ୍ରାନ୍ସଫର୍ମର ସ୍ଥାପନ ଆଦି ସମ୍ପର୍କରେ ଅବଗତ କରାଇଥିଲେ। ଜିଲାପାଳ ଲୋକମାନଙ୍କ ସମସ୍ୟା ଶୁଣି ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକ ନାଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲପାଳ (ଆପାତକାଳୀନ) କୁନ୍ତୀରାଣୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ରାକର, ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପ୍ନୋ, ନୂଆଗାଁ ବିଡିଓ ବିକ୍ରାଣି କିସ୍ପୋଟା, ଅତିରିକ୍ତ ଉପଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଡିଏମଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଜନଶୁଣାଣୀ କାର୍ଯ୍ୟକ୍ରମ ସହିତ ଜିଲ୍ଲାପାଳ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସଂପୃକ୍ତ ବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ।

ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ନୂଆଗାଁ ବ୍ଲକର ଅଙ୍କରପାଲି, ସୋରଡା, ଖୁଣ୍ଟଗାଁ ଏବଂ ବଡ଼ଜୋଜୋଦା ଗ୍ରାମପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ୪ ଜଣ ସଦସ୍ୟାଙ୍କୁ ଅଟୋ ରିକ୍ସା କିଣିବା ପାଇଁ ପଞ୍ଚାୟତସ୍ତରୀୟ ମହାସଙ୍ଘର କମ୍ୟୁନିଟି ଇନଭେଷ୍ଟମେଣ୍ଟ ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଇଥିଲା। ଆଜି ଜିଲ୍ଲାପାଳ ନୂଆଗାଁ ବ୍ଲକ ଗସ୍ତ ଅବସରରେ ପତାକା ଦେଖାଇ ଏହି ଅଟୋ ରିକ୍ସାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ନୂଆଗାଁ ଏବଂ କନ୍ଦରକେଲା ଗ୍ରାମପଞ୍ଚାୟତରେ ନିର୍ମିତ ଆଧୁନିକ ଅଙ୍ଗବାଡ଼ି କେନ୍ଦ୍ରର ଉଦଘାଟନ କରିଥିଲେ। ଲୁକୁମ୍ବେଡା ଗ୍ରାମପଞ୍ଚାୟତର ପଂଚାୟତ ଫ୍ୟାସିଲିଟି ସେଣ୍ଟର ଏବଂ କନ୍ଦରକେଲା ଗ୍ରାମପଂଚାୟତର ବାଉନଯୋରଠାରେ ଏକ ମାର୍କେଟ କଂପ୍ଲେକ୍ସକୁ ମଧ୍ୟ ଉଦଘାଟନ କରିଥିଲେ। ସେହିପରି ଜିଲ୍ଲାପାଳ ନୂଆଗାଁ ବ୍ଲକ ପରିସରରେ ଥିବା ୩୦ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ବୁଲି ଦେଖିଥିଲେ। ଜିହାଦିଟୋଲିଠାରେ ଏସଏଚଜି ମା’ମାନଙ୍କ ଦ୍ୱାରା କରାଯାଉଥିବା ଛତୁ ଚାଷ ଏବଂ ସେଠାରେ ଥିବା ଗ୍ରାମୀଣ ପାଠାଗାର ପରିଦର୍ଶନ କରିଥିଲେ।

nis-ad
Leave A Reply

Your email address will not be published.