ରାସ୍ତା ମଝିରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଲେ ବ୍ଲକ ଉପାଧ୍ୟକ୍ଷ

ବଲାଙ୍ଗୀର: ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତାର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁଁ କିଏ ? ମୋତେ ଜାଣିନ, ଚିରିକି ଫାଡ଼ି ଦେବି । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ତ ଆଉ କେତେ ବେଳେ ଲାତ୍ ମାରିଚାଲିଛନ୍ତି ଯୁବକ ।

ଏପରି ଦାଦାଗିରି କରୁଥିବା ଯୁବକଙ୍କ ପରିଚୟ ନେଇ ଉକ୍ତଣ୍ଠା ସ୍ୱାଭାବିକ । ତେବେ ସେ ହେଉଛନ୍ତି ବଲାଙ୍ଗୀର ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର । ତାଙ୍କ ସହ ରହିଛନ୍ତି ତାଙ୍କ ସମର୍ଥକ । କେହି ଜଣେ ଗାଁର ଲାଇଟ ବନ୍ଦ କରି ଦେଇଥିଲା । ଏନେଇ ଉପାଧ୍ୟକ୍ଷ ବାବୁ ଏତେ ରାଗିଯାଇଥିଲେ ଯେ ତାଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା । ରାସ୍ତା, ଘାଟ ଓ ପରିସ୍ଥିତି ସବୁ ଭୁଲିଯାଇ କିଛି ଯୁବକଙ୍କୁ ସେ ନିସ୍ତୁକ ମାଡି ମାରିଥିଲେ ।

ତା ଉପରେ ପୁଣି ସେ କିଏ ଓ ତାଙ୍କୁ ଜାଣିଛନ୍ତି ନା ନାହିଁ ପଚାରି ମାଡ଼ ମାରି ଧମକ ମଧ୍ୟ ଦେଲେ । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଛି । କିଛି ମାସ ତଳେ ସରିଛି ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ ଦୁର୍ଯ୍ୟୋଧନଙ୍କ ପରିବାରର ୭ ଜଣ ସମିତି ସଭ୍ୟ ପ୍ରାର୍ଥୀଭାବେ ବିଭିନ୍ନ ପଞ୍ଚାୟତରେ ଛିଡା ହୋଇଥିଲେ । ଦୁର୍ଯ୍ୟୋଧନଙ୍କ ଭଉଣୀ ବର୍ତ୍ତମାନ ବେଳପଡା ବ୍ଳକର ଅଧ୍ୟକ୍ଷା ହୋଇଥିବା ବେଳେ ନିଜେ ଦୁର୍ଯ୍ୟୋଧନ ଉପାଧ୍ୟକ୍ଷ ହୋଇଛନ୍ତି । ସେଥିପାଇଁ ବୋଧେ ଏକ ସାଧାରଣ କଥାକୁ ନେଇ ଦେଖାଇଛନ୍ତି ଦବଙ୍ଗଗିରି । ତେବେ ବ୍ଲକ ଉପାଧ୍ୟକ୍ଷଙ୍କ ଏଭଳି ଆଚରଣ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.