କନ୍ଧମାଳ : ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ମାନନୀୟା ସଭାପତି ସୁଶ୍ରୀ ନନ୍ଦିନୀ ମଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଜନ ପ୍ରତିନିଧୁମାନଙ୍କର ପ୍ରତ୍ୟେକ ପ୍ରଶ୍ନକୁ ସରଳଭାବରେ ବୁଝାଇ ଦେବାକୁ ମାନନୀୟା ସଭାପତି ଅନୁରୋଧ କରିଥିଲେ । ସେହିପରି ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଜିଲ୍ଲାର ପ୍ରତ୍ୟେକଟି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କର ମିଳିତ ସହଯୋଗ ରହିବାକୁ ସଂକଳ୍ପ ନେବା ଓ ଜିଲ୍ଲାକୁ ଉନ୍ନତି ପଥରେ ଅଗେଇ ନେବାକୁ ଅନୁରୋଧ କରିଥିଲେ । ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର କହିଲେ ଯେ, ୫ ବର୍ଷ ପାଇଁ ଲୋକମାନେ ସେମାନଙ୍କୁ ନିର୍ବାଚିତ କରିଛନ୍ତି। ସେମାନଙ୍କ ପାଇଁ କାମ କରିବାକୁ ସଂକଳ୍ପ ନେବା ଅବଶ୍ୟକ। ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ସେହିପରି ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପାଣି, ବିଦ୍ୟୁତ, ଜଙ୍ଗଲ ଜମି ପଟ୍ଟା ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କର ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ପରିଷଦର ଉପ ସଭାପତି ସାଧବାଣୀ ନାୟକ କହିଲେଯେ, ଆମେ ସମସ୍ତେ ମିଳିମିଶି ଲୋକମାନଙ୍କ ସେବା କରିବା କାରଣ ସେମାନେ ଆମ ଉପରେ ଭରସା ରଖି ନିର୍ବାଚିତ କରିଛନ୍ତି । କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. କହିଲେଯେ, ନବ ନିର୍ବାଚିତ ଜନ ପ୍ରତିନିଧୁମାନେ ପ୍ରଥମେ ସରକାରଙ୍କର ସମସ୍ତ ଯୋଜନା ବିଷୟରେ ଜାଣିବା ଦରକାର। ସବୁ ପ୍ରକାର ମରାମତି କାର୍ଯ୍ୟ ବ୍ଲକ ଓ ପଞ୍ଚାୟତ ସ୍ତରରେ କରାଯାଉଛି । ଜିଲ୍ଲାପାଇଁ ଆସୁଥିବା ପାଣିର ସୁବିନିଯୋଗ କରି କିପରି ଜିଲ୍ଲାର ଉନ୍ନତି ହୋଇପାରିବ ସେ ଦିଗରେ ସେମାନେ ଦୃଷ୍ଟି ଦେବା ଆବଶ୍ୟକ । ଯଦିଓ ଆମର ଅଧିକାରୀ ଓ କର୍ମଚାରୀ ସଂଖ୍ୟା କମ୍ ଅଛନ୍ତି ତଥାପି ସେମାନଙ୍କୁ ନେଇ ଆମକୁ କାମ କରିବାକୁ ପଡ଼ିବ । ଜନ ପ୍ରତିନିଧିମାନେ ଯେଉଁ ଆଶା ଧରି ନିର୍ବାଚିତ ହୋଇଛନ୍ତି ତା’କୁ ସଫଳ କରିବାକୁ ସେମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । ମାନନୀୟ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଲୋକମାନଙ୍କର ଆଶା ଭରସାକୁ ପୂରଣ କରିବା ପ୍ରତ୍ୟେକ ଜନ ପ୍ରତିନିଧିଙ୍କର ପ୍ରଥମ ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଥିଲେ। ହେଲେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସଂପୃକ୍ତ ବିଭାଗୀୟ ପାଦାଧିକାରୀମାନଙ୍କର ସହଯୋଗ ମିଳିପାରିବ । ଜିଲ୍ଲାର ସମସ୍ତ ଜନ ପ୍ରତିନିଧୁମାନଙ୍କୁ ନେଇ ଏକ କର୍ମଶାଳା କରି ସେମାନଙ୍କୁ ସରକାରଙ୍କର ପ୍ରତ୍ୟେକ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ଜିଲ୍ଲାପରିଷଦର ଏକାଦଶତମ ଅଧିବେଶନର ଅନୁପାଳନ ବିବରଣୀ ଗୃହରେ ପଠନ ପୂର୍ବକ ଏହାର ଦୃଢ଼ୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ପରେ ଚଳିତ ଅଧୁବେଶନର କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଥିଲା। ନବ ନିର୍ବାଚିତ ପ୍ରତି ୩ ଜଣ ସଭ୍ୟ/ସଭ୍ୟାମାନଙ୍କୁ ନେଇ୭ ଗୋଟି ସ୍ଥାୟୀ କମିଟି ଗଠନ କରାଯାଇଛି ଯେପରିକି (୧)ଯୋଜନା, ଅର୍ଥ ଓ ଦାରିଦ୍ର୍ୟ ଦୁରିକରଣ (୨) କୃଷି, ପଶୁପାଳନ, ବୈଷୟିକ, ମୃତିକା ସଂରକ୍ଷଣ, ଜଳଛାୟା, ଉଦ୍ୟାନ ଓ ମତ୍ସ୍ୟ (୩) ଉନ୍ନୟନ କାର୍ଯ୍ୟ, ଜଳସେଚନ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଓ ପରିମଳ (୪)ସ୍ବାସ୍ଥ୍ୟ, ସମାଜ ମଙ୍ଗଳ, ମହିଳା ଓ ଶିଶୁ ବିକାଶ (୫) ବେସାମରିକ ଯୋଗାଣ ଓ ଖାଉଟି କଲ୍ୟାଣ, ଅନୁନ୍ନତ ଶ୍ରେଣୀର ଉନ୍ନତି, ଜଙ୍ଗଲ ଓ ଜାଳେଣୀ ଓ ଘାସ ଚାଷ (୬) ହସ୍ତ ତନ୍ତ୍ର, କୁଟୀରଶିଳ୍ପ, ଖଦୀ ଓ ଗ୍ରାମୋଦ୍ୟୋଗ, ଗ୍ରାମ୍ୟ ଗୃହ ନିର୍ମାଣ (୭)ଶିକ୍ଷା, ଖେଳ, ସାଂସ୍କୃତିକ । ସେହିପରି, ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନର ସୁପାରିଶ ଆଧାରରେ ପଞ୍ଚାୟତିରାଜ ତଥା ଜିଲ୍ଲା ପରିଷଦ ନିମନ୍ତେ ଅନାବଦ୍ଧ ପାଣ୍ଠି ଓ ଆବଦ୍ଧ ପାଣ୍ଠିର ବ୍ୟବହାର ପାଇଁ ବାର୍ଷିକ ଖସଡ଼ା ଅନୁମୋଦନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମୃର୍ତିକା ସଂରକ୍ଷଣ ଓ ଜଳଛାୟା, ମତ୍ସ୍ୟ ବିଭାଗ, ବିଦ୍ୟୁତ୍, ଗ୍ରାମ୍ୟ ନିର୍ମାଣ ବିଭାଜନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଞ୍ଚଳ)ଉଠା ଜଳସେଚନ ବିଭାଗ, ବି.ଏସ୍. ଏନ୍.ଏଲ୍. କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିର୍ବାହୀ ଅଧିକାରୀ, କନ୍ଧମାଳ ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅନୁଶାସନ), ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କନ୍ଧମାଳ ନରେଶ ଚନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଭ୍ୟସଭ୍ୟା,ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.