ନୂଆଦିଲ୍ଲୀ: ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନ ଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି।
ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଏଥିଯୋଗୁ ଭାରତର ଛବି ମଧ୍ୟ ବିଶ୍ୱ ଦରବାରରେ ମଳିନ ପଡ଼ିବାରେ ଲାଗିଛି। ଏହାର ପ୍ରତିଫଳନ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଦେଖିବାକୁ ମିଳିଛି। ସୂଚକାଙ୍କରେ ଭାରତର ସ୍ଥାନ ଗତବର୍ଷ ଅପେକ୍ଷା ଏବର୍ଷ ଆହୁରି ତଳକୁ ଖସିଛି।
ଗତବର୍ଷ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ୧୮୦ ଦେଶ ମଧ୍ୟରେ ଭାରତ ୧୪୨ତମ ସ୍ଥାନରେ ଥିଲା। ହେଲେ ଏବେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ୧୫୦ତମ ସ୍ଥାନରେ ପହଞ୍ଚି ଯାଇଛି।
ପ୍ରେସ ସ୍ୱାଧୀନତା ଭାରତରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ସେମାନେ କହିଛନ୍ତି। ଆରଏସଏଫ ୨୦୨୨ ବିଶ୍ୱ ପ୍ରେସ ସ୍ୱାଧୀନତା ରିପୋର୍ଟରେ କୁହାଯାଇଛି ଯେ ଭାରତର ପଡ଼ୋଶୀ ନେପାଳକୁ ଛାଡ଼ି ଦେଲେ ଆଉ ସବୁ ଦେଶ ଏହି ତାଲିକାରେ ତଳକୁ ଖସିଛନ୍ତି। ପାକିସ୍ତାନ ତାଲିକାର ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ ଓ ମିଆଁମାର ୧୭୬ତମ ସ୍ଥାନରେ ରହିଛି।
ନେପାଳରେ ପ୍ରେସ ସ୍ୱାଧୀନତାରେ ଉନ୍ନତି ଆସିଛି। ବର୍ଷକ ମଧ୍ୟରେ ଦେଶ ୩୦ ପଏଣ୍ଟ ହାସଲ କରି ତାଲିକାର ୭୬ତମ ସ୍ଥାନରେ ପହଞ୍ଚିଛି। ଗତବର୍ଷ ତାଲିକାରେ ନେପାଳ ୧୦୬ତମ ସ୍ଥାନରେ ଥିଲା। ପାକିସ୍ତାନ ୧୪୫, ଶ୍ରୀଲଙ୍କା ୧୨୭, ବାଂଲାଦେଶ ୧୫୨ ଓ ମିଆଁମାର ୧୪୦ତମ ସ୍ଥାନରେ ରହିଥିଲା।
ଚଳିତ ବର୍ଷ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ନରୱେ ୧ନଂ ସ୍ଥାନରେ ରହିଛି। ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ୱିଡେନ, ୪ର୍ଥରେ ଇଷ୍ଟୋନିଆ ଓ ୫ମରେ ଫିନଲ୍ୟାଣ୍ଡ ରହିଛି। ଏହି ସବୁ ଦେଶରେ ସାମ୍ବାଦିକମାନେ ବିନା କୌଣସି ଚାପ ଓ ଭୟରେ କାମ କରିବାକୁ ସକ୍ଷମ ହେଉଛନ୍ତି। ତାଲିକାର ସବୁଠାରୁ ଶେଷରେ ଅର୍ଥାତ ୧୮୦ତମ ସ୍ଥାନରେ କିମ ଜଙ୍ଗ ଉନ୍ଙ୍କ ଉତ୍ତର କୋରିଆ ରହିଛି।
ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷରେ ମଧ୍ୟ ପ୍ରେସ ସ୍ୱାଧୀନତା ସଙ୍କୁଚିତ ହୋଇଛି। ଗତବର୍ଷ ରୁଷ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କର ୧୫୦ତମ ସ୍ଥାନରେ ଥିଲା। ହେଲେ ଚଳିତ ବର୍ଷ ୧୫୫ରେ ପହଞ୍ଚି ଯାଇଛି। ଚାଇନା ୨ଟି ସ୍ଥାନ ଉପରକୁ ଉଠି ୧୭୫ତମ ସ୍ଥାନରେ ରହିଛି।
ରିପୋର୍ଟରେ କୁହାଯାଇଛି ଯେ “ ରିପୋର୍ଟସ ଉଇଦାଉଟ ବର୍ଡର୍ସ ଓ ଅନ୍ୟ ୯ଟି ମାନବାଧିକାର ସଂଗଠନ ଭାରତୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପରାମର୍ଶ ଦେଇଛନ୍ତି। ଅଧିକାରୀମାନେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ। ଏଥିସହ ଅନଲାଇନ କ୍ରିଟିକ୍ସଙ୍କୁ ମଧ୍ୟ ସେମାନଙ୍କ କାମରୁ ବିରତ କରନ୍ତୁ ନାହିଁ। ବିଶେଷ କରି ଭାରତୀୟ ଅଧିକାରୀମାନେ ସାମ୍ବାଦିକ ଓ ଅନଲାଇନ କ୍ରିଟିକ୍ସଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ଓ ଦେଶଦ୍ରୋହ ଭଳି ମାମଲା ବନ୍ଦ କରନ୍ତୁ।”
Sign in
Sign in
Recover your password.
A password will be e-mailed to you.