ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଭୂପିନ୍ଦର ସିଂ, ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପସଚିବ ଶ୍ରୀ ଶିଶିରକାନ୍ତ ସ୍ୱାଇଁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉତ୍କଳଗୌରବ ମଧୁସୂଦନ ଦାସ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ। ମାତୃଭୂମି ଓ ମାତୃଭାଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ଅସୀମ ତ୍ୟାଗ, ତପସ୍ୟା, ସାଧନା, ସଂଗ୍ରାମ ଓ ପ୍ରତିବଦ୍ଧତା ପାଇଁ ଆମ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହିତ ସସମ୍ମାନେ ମୁଣ୍ଡଟେକି ଠିଆହୋଇଛି ବୋଲି ବାଚସ୍ପତି ଡଃ. ପାତ୍ର ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ।

ଶାଶ୍ୱତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ମଧୁବାବୁଙ୍କ ଅମ୍ଳାନ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

nis-ad
Leave A Reply

Your email address will not be published.