କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ -୨ ପରୀକ୍ଷା ଶୁକ୍ରବାର (ଆସନ୍ତାକାଲି)ଠାରୁ ଆରମ୍ଭ ହେବ। ଏହା ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀର ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।
ପରୀକ୍ଷା ପରିଚାଳନା ଓ ତଦାରଖ ପାଇଁ ୪ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାଡ୍, ପରିଷଦ ପକ୍ଷରୁ ୩୮ଟି କେନ୍ଦ୍ରୀୟ ସ୍କ୍ୱାଡ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ସ୍କ୍ୱାଡ୍ ଏବଂ ପ୍ରତି ଜିଲାରେ ଜିଲାପାଳଙ୍କ ପକ୍ଷରୁ ଗଠିତ ସ୍କ୍ୱାଡ୍ ପରୀକ୍ଷା ପରିଚାଳନା ତଦାରଖ କରିବେ।
ପ୍ରଶ୍ନପତ୍ର ରଖିବା ପାଇଁ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି । ମାଓପ୍ରବଣ ଜିଲାର ୨୧ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୯ଟି ନୋଡାଲ କେନ୍ଦ୍ର ହୋଇଥବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ସମୟରେ ୨୪ ଘଣ୍ଟିଆ ସଶସ୍ତ୍ର ପୁଲିସ ପ୍ରହରା ବ୍ୟବସ୍ଥା କରାଯାଇଛି। କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁପାଳନ କରିବା ସହ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ୍ ନିଷେଧ କରାଯାଇଛି।
ସମଗ୍ର ରାଜ୍ୟର ମଧ୍ୟମା ପରୀକ୍ଷା ପାଇଁ ୪୪୪୩ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ମୋଟ ୧୨୨ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୯୩୭୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୨୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ପ୍ରଥମ ସିଟିଂରେ ହେବ। ତେଣୁ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ପୂର୍ବ ଘୋଷିତ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟମା ପରୀକ୍ଷାର ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଇଂରାଜୀ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮ରେ ଗୃହ ବିଜ୍ଞାନ ପ୍ରାକ୍ଟିକାଲ ସକାଳ ୮ଟାରୁ ୯ଟା, ୯ ତାରିଖ ଗୃହ ବିଜ୍ଞାନ ଥିଓରୀ ସକାଳ ୮ଟାରୁ ୧୦ଟା ଏବଂ ୧୦ ତାରିଖ ଚିତ୍ରାଙ୍କନ ଥିଓରୀ ସକାଳ ୮ଟାରୁ ୯ଟା ଯାଏ ଅନୁଷ୍ଠିତ ହେବ । ପରୀକ୍ଷାଗୁଡ଼ିକ ଦିନ ୧୧ଟା ୩୦ରୁ ଆରମ୍ଭ ହେବ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ଥଣ୍ଡା ପାଣି, ଓଆର୍ଏସ୍, ପ୍ରାଥମିକ ଚିକିତ୍ସା ସାଙ୍ଗକୁ ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ରର ନିୟନ୍ତ୍ରକଙ୍କୁ ନିର୍ଦେଶ ଦେବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ପରିଷଦ ପକ୍ଷରୁ ଅବଗତ କରାଯାଇଛି।