ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ହୋଇପାରିନି ଶ୍ରୀମନ୍ଦିର ବଜେଟ୍‌ । ଆସନ୍ତା ୨୫ ତାରିଖରେ ପୁନର୍ବାର ବୈଠକ ବସି ବଜେଟ ଚୂଡ଼ାନ୍ତ ହେବ । ବୈଠକରେ ନୀତି ସବ୍‌କମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଚନ୍ଦନଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସମସ୍ତ ସେଡ୍‌ ଖୋଲାଯିବ ।

ରଥଯାତ୍ରା ପାଇଁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପଶ୍ଚିମଦ୍ୱାରରେ ହେବ ନୂତନ ସେଡ୍‌ ବ୍ୟବସ୍ଥା । ଆସନ୍ତା ୨୯ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ପଶ୍ଚିମଦ୍ୱାରରେ ହେବ ସେଡ୍‌ ବ୍ୟବସ୍ଥା । ଉତ୍ତର ଓ ଦକ୍ଷିଣ ଦୁଆର ଦେଇ ଭକ୍ତ ପ୍ରସ୍ଥାନ କରିବେ ।

ଆଜି ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ.ବିଶାଲ ସିଂହ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ସେବାୟତ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ ସ୍କୁଲ ନିର୍ମାଣ ଓ ଏସମ୍ପର୍କିତ MOU ଅନୁମୋଦନ ହେବାର ଥିଲା । ଗୁରୁକୁଳ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିଜ ପାଣ୍ଠିରୁ ୬ କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇଛନ୍ତି । ଏଥିସହ ସେବାୟତଙ୍କ ପାଇଁ ବାସଗୃହ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ଥିଲା । କିନ୍ତୁ ବଜେଟ ଆଲୋଚନା ଦୀର୍ଘ ସମୟ ଧରି ଚାଲିବାରୁ ଅନ୍ୟ କୌଣସି ଆଲୋଚନା ହୋଇପାରିନାହିଁ । ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ କରାଯାଉଛି ।

nis-ad
Leave A Reply

Your email address will not be published.