ସଡକ ଦୁର୍ଘଟଣା ଜନିତ ତଦନ୍ତ ସମ୍ପର୍କରେ ରାଉରକେଲା ରେ ପ୍ରଶିକ୍ଷଣ ଶିବିର : ପଶ୍ଚିମାଅଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜଙ୍କର ଯୋଗଦାନ…

ରାଉରକେଲା : (ବସନ୍ତ କୁମାର ଜେନା): ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଗାଡ଼ି ଚାଳକ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି।
ତେବେ ଏ ଦିଗରେ ପୋଲିସ ଏବଂ ପରିବହନ ଅଧିକାରୀମାନେ କିପରି ଅଧିକ ଧ୍ୟାନ ଦେଇ କାମ କରିବେ ସେନେଇ ରାଉରକେଲାଠାରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ।
“ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କିପରି ତଦନ୍ତ କରାଯିବ ସେ ସମ୍ପର୍କରେ ପୋଲିସ ଏବଂ ପରିବହନ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ପ୍ରକୃତ କାରଣ ଜଣାପଡ଼ିଲେ ହିଁ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରିବ’’, କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ।
ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ଦୁର୍ଘଟଣାଜନିତ ତଦନ୍ତ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ରାଉରକେଲା ଏବଂ କେନ୍ଦୁଝର ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହିତ ପରିବହନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ରାଜସ୍ଥାନର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁସ୍କାନ ଫାଉଣ୍ଡେସନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ସଡ଼କ ଦୁର୍ଘଟଣାଜନିତ ତଦନ୍ତ ପ୍ରକ୍ରିୟାକୁ କିପରି ସଠିକ୍ ଢଙ୍ଗରେ କରାଯିବ ତା’ଉପରେ ପ୍ରଶିକ୍ଷଣ ଦେଇଥିଲେ।
“ସଡ଼କ ଦୁର୍ଘଟଣା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପୋଲିସ ଏବଂ ପରିବହନ ଅଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ଯେଉଁ ପ୍ରଶିକ୍ଷଣ ଦିଆଯାଉଛି ତାରହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତଦନ୍ତର ମୂଳ କାରଣ ଜାଣିବା ଏବଂ ପରବର୍ତ୍ତୀ ସମୟରେ ଏହାର ପ୍ରତିକାର କରିବା ହେଉଛି ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ। ଦୁର୍ଘଟଣାର କାରଣ ସମ୍ପର୍କରେ ଯଦି ସଠିକ୍ ତଥ୍ୟ ମିଳିପାରିବ ତାହାଲେ ପ୍ରଶାସନ ପକ୍ଷରୁ ଏ ଦିଗରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ କରିବା ସୁବିଧାଜନକ ହୋଇପାରିବ’’, କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର।
ଅତିରିକ୍ତ ଜିଲ୍ଲାପାଳ ଆହୁରି କହିଥିଲେ ଯେ, ସଡ଼କ ଦୁର୍ଘଟଣା ସମୟରେ ସ୍ଥାନୀୟ ଜନସାଧାରଣ ଗୁଡ୍ ସାମାରିଟାନ ଭାବେ କାର୍ଯ୍ୟ କରିବା ଉଚିତ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ।
ନିକଟରେ ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ପୋଲିସ ଅଧିକାରୀ ଏବଂ ପରିବହନ ଅଧିକାରୀମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା। ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ରାଉରକେଲାଠାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ବୁଧବାର ଦିନ ପୋଲିସ ଏବଂ ପରିବହନ ଅଧିକାରୀମାନଙ୍କୁ ମୋଟର ଯାନ ଆଇନ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗୁରୁବାରଦିନ ସେମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସଡ଼କର ସ୍ଥିତି, ଟ୍ରାଫିକ ବ୍ୟବସ୍ଥା ଓ ଗାଡ଼ି ଚଳାଚଳର ସ୍ଥିତି ଯାଞ୍ଚ ଦେଖିଥିଲେ। କେଉଁ ସମସ୍ୟା ପାଇଁ ସଡ଼କ ଦୁର୍ଘଟଣା ହେଉଛି ତାହା ଲୋକମାନଙ୍କଠାରୁ ପଚାରି ବୁଝିଥିଲେ।
ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଆରମ୍ଭ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କୁ ଚିହ୍ନଟ କରାଯାଇ ତାଲିମ ଦିଆଯାଇଥିଲା। ସେମାନେ ଦୁର୍ଘଟଣାଗ୍ରସ୍ତଙ୍କୁ କିପରି ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବେ ସେଥିପାଇଁ ତାଲିମ ନେଇଥିଲେ। ଏଯାବତ ୧୯ଜଣ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କୁ ଗୁଡ୍ ସମାରିଟାନରେ ପୁରସ୍କୃତ କରାଯାଇଛି।
ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଏସପି ମୁକେଶ କୁମାର ଭାମୁ, ରାଉରକେଲା ପରିବହନ ଅଧିକାରୀ ବିଶ୍ୱରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.