ଉଜ୍ଜଳପୁର ବନାଞ୍ଚଳରେ ହାତୀ -ସାଥି ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ…


ସୁନ୍ଦରଗଡ଼ : ହାତୀ ଓ ମଣିଷର ବଞ୍ଚିବାର ସମାନ ଅଧିକାର ରହିଛି ଏଣୁ ସମସ୍ତେ ମିଳିମିଶି ବନ୍ୟଜନ୍ତୁଙ୍କର ସୁରକ୍ଷା କରିବା ଅପରିହାର୍ଯ୍ୟ ବୋଲି ତିଲ୍‌ଡ଼େଗା ବନସୁରକ୍ଷା ସମିତି ଆନୁକୁଲ୍ୟରେ ଆୟୋଜିତ ହାତୀ-ମଣିଷ ସଂଘର୍ଷ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଲୋକାୟୁକ୍ତ ତଥା ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡଃ ଦେବବ୍ରତ ସ୍ଵାଇଁ ମତବ୍ୟକ୍ତ କରିଛନ୍ତି ।
ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ଉଜ୍ଵଳପୁର ବନାଞ୍ଚଳର ତିଲ୍‌ଡ଼େଗା ଗ୍ରାମରେ “ ସେଭ୍ ଏଲିଫ୍ୟାଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟ” ତରଫରୁ ହାତୀଓ ମଣିଷ ସଂଘର୍ଷ ପରିଚାଳନା ଉପରେ ହାତୀ-ସାଥୀଙ୍କର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଜ୍ଵଳପୁର ବନାଞ୍ଚଳ ତରଫରୁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ସଭା ପରିଚାଳନା କରିଥିଲେ। ସର୍ବପ୍ରଥମେ କିଞ୍ଜିରିକେଲା ସେକ୍ସନର ଗ୍ରାମ୍ୟ ବନ ସହାୟିକା ମାନଙ୍କ ଦ୍ଵାରା ଏକ ସଚେତନତା ମୂଳକ ଗୋଷ୍ଠୀ ସଂଗୀତ ପରିବେଷଣ କରଯାଇଥିଲା । ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ଆଲୋକପାତ କରିଥିଲେ । ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵବଧାରକ ଶ୍ରୀ ଆଶୁତୋଷ ନାଏକ ଜଙ୍ଗଲରେ ହାତୀ ପାଇଁ ଖାଦ୍ୟ ଓ ପାନୀୟର ଉପଲବ୍ଧତା ବାବଦରେ ମତାମତ ପ୍ରକାଶ କରିଥିଲେ । ଏହାପରେ ପୂର୍ବତନ ଭାରତୀୟ ବନସେବା ଅଧିକାରୀ ଜିତେଶତ୍ରୁ ମହାନ୍ତି ହାତୀର ବାସସ୍ଥଳୀର ସୁରକ୍ଷା, ହାତୀର ମାନସିକତା ତଥା ହାତୀ-ମନୁଷ୍ୟ ସଂଘର୍ଷର ବିଭିନ୍ନ ଦିଗ ଉପରେ ଓ ସମାଧାନ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର ପାରସ୍ପରିକ ସହଭାଗିତା ଓ ଗୋଷ୍ଠୀ ସଚେତନତା ଦ୍ଵାରା ହାତୀ-ମଣିଷ ସଂଘର୍ଷର ସମାଧାନ ହୋଇପାରିବ ତଥା ହାତୀ ଆବାସସ୍ଥଳୀରେ ହାତୀର ଖାଦ୍ୟପୋଯୋଗୀ ବୃକ୍ଷ ସମୁହର ରୋପଣ ଉପରେ ଗୁରୁତ୍ଵାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀ, ବନସୁରକ୍ଷା ସମିତିର ସଭ୍ୟସଭ୍ୟା, ଜନ ପ୍ରତିନିଧି ଆଦି ନିଜ ଅଞ୍ଚଳର ହାତୀ ସମସ୍ୟା ଉପରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସଚେତନ କରାଯାଇଥିଲା ତଥା ନିଜେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଉଜ୍ଵଳପୁର ବନାଞ୍ଚଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମଣିହୀରାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସହକାରୀ ବନାଞ୍ଚଳ ଅଧିକାରୀ ପଞ୍ଚ ନାରାୟଣ ସରାଫ, ବନପାଳ ସାନିକା ଟପ୍ପୋ, ନୀତିନ କଚ୍ଛରିଆ, ସଂଯୋଜକ ସବ୍ୟସାଚୀ ରଥ, ରାଜେଶ କୁମାର ମହାପାତ୍ର, ସହଯୋଗୀ ଅନୁଷ୍ଠାନ ସେବକର ମନୋରଞ୍ଜନ ମଲ୍ଲିକ, ହରିପ୍ରିୟା ନାଏକ, ଆକାଉଣ୍ଟାଣ୍ଟ୍ ସୌରଭ ନାଏକ ତଥା ବନରକ୍ଷୀମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କିଞ୍ଜିରିକେଲା ସେକ୍ସନର ୧୦ଟି ବନସୁରକ୍ଷା ସମିତିର ୧୭୦ରୁ ଊର୍ଦ୍ଧ୍ଵ ଗ୍ରାମବାସୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.