ହନୁମାନ ପତାକା ନେବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ, ଯୋଡାରେ ୧୪୪ ଧାରା ଜାରି

ଯୋଡା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡାରେ ଏବେ ତୀବ୍ର ଉତ୍ତେଜନା ଲାଗିରହିଛି । ହନୁମାନ ଝଣ୍ଡା ନେବାବେଳେ ୨ ଗୋଷ୍ଠୀ ମୁହାଁମୁହିଁରୁ ପରିସ୍ଥିତି ସାଂଘାତିକ ହୋଇଛି । ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ହନୁମାନ ଝଣ୍ଡା ନେବାବେଳେ ହିନ୍ଦୁ ଏବଂ ମୁସଲମାନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା । ବାଧ୍ୟହୋଇ ପୋଲିସ ଲାଠି ଚାର୍ଜ କରିଥିଲା । ତେବେ ପରିସ୍ଥିତି ଅଣାୟତ ହେବାରୁ ଯୋଡା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାମନବମୀ ଥିବାବେଳେ, ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ । ଏବଂ ଆଜି ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସ୍ କହିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉତ୍ୟକ୍ତ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ ଏବଂ କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ, ବଜାର ଗଳିରେ ମୁସଲିମ କମ୍ୟୁନିଟିର କିଛି ଲୋକ ଏହାକୁ ବିରୋଧ କରିଥିଲେ, ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପୋଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେବି ଉତ୍ତେଜନା ଥମିବା ବଦଳରେ ବଢିବାକୁ ଲାଗିଲା । ଉଭୟ ପକ୍ଷରୁ ଭଙ୍ଗାରୁଜ୍ଜା ଓ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଚମ୍ପୁଆ ସବ କଲେକ୍ଟର, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ପୋଲିସ୍ ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି।

nis-ad
Leave A Reply

Your email address will not be published.