‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ଜଣେ ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ କରିଛି। ସଂପୃକ୍ତ ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇ ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସୀତାପୁର ପୁଲିସ ଶନିବାର ଦିନ କହିଛି।
ଉଲ୍ଲେଖଯୋଗ୍ୟ, ୟୁପି ଖଇରାବାଦ ସହରର ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଉଦାସୀନ ଆଶ୍ରମର ମହନ୍ତ ବଜରଙ୍ଗ ମୁନି ଦାସ ଗତ ଏପ୍ରିଲ ୨ ତାରିଖରେ ଘୃଣା ଭାଷଣ ଦେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ କେନ୍ଦ୍ର କରି ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଖଇରାବାଦରେ ଘୃଣା ଭାଷଣକୁ ନେଇ ମହନ୍ତ ବଜରଙ୍ଗ ମୁନି ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପ୍ରମାଣ ସଂଗ୍ରହ ଏବଂ ଅନୁସନ୍ଧାନ ପରେ ପୁଲିସ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ବୋଲି ସୀତାପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଦୀକ୍ଷିତ ଗଣମାଧ୍ୟମକୁ କହିଛନ୍ତି। ଘୃଣା ଭାଷଣ ଏବଂ ଅପମାନଜନକ ବିବୃତ୍ତି ଦେବା ସମ୍ବନ୍ଧୀୟ ଭାରତୀୟ ଦଣ୍ଡ ସଂହିତା ବିଭାଗ ଅଧୀନରେ ଅଭିଯୁକ୍ତ ଦାସ ବିରୋଧରେ ମାମଲା ରୁଜୁ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ଅଭିଯୁକ୍ତ ଦାସଙ୍କ ବିରୋଧରେ ଏହି ମାମଲା ରୁଜୁ ହେବାର କିଛି ଘଣ୍ଟା ପରେ ଅନଲାଇନରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ବିବୃତ୍ତିକୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଇଛି। ମୋର ବିବୃତ୍ତି ଭୁଲ ଉପାୟରେ ଉପସ୍ଥାପିତ ହୋଇଛି। ମୁଁ ଏଥିପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ କହିଥିଲେ।
ପୂର୍ବରୁ ଜାତୀୟ ମହିଳା ଆୟୋଗ ଶୁକ୍ରବାର ଦିନ ଏହି ମାମଲାରେ ହସ୍ତକ୍ଷେପ କରି ଅଭିଯୁକ୍ତ ଦାସଙ୍କୁ ଗିରଫ କରିବାକୁ ୟୁପି ପୁଲିସକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ମାମଲାରେ କମିଶନ ମୂକ ଦର୍ଶକ ହୋଇପାରିବ ନାହିଁ ଏବଂ ଏପରି ଘଟଣାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ।
ଏପ୍ରିଲ ୨ ତାରିଖରେ ରେକର୍ଡ ହୋଇଥିବା ଘୃଣା ଭାଷଣ ଥିବା ଦୁଇ ମିନିଟର ଭିଡିଓରେ ଦାସ କହୁଥିବାର ଶୁଣିବାକୁ ମିଳୁଛି ଯଦି କୌଣସି ହିନ୍ଦୁ ଝିଅକୁ ଏକ ନିର୍ଦ୍ଦିିଷ୍ଟ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଥଟ୍ଟା କରନ୍ତି, ତେବେ ସେ ନିଜେ ସେହି ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବେ।

nis-ad
Leave A Reply

Your email address will not be published.