ଦାରିଙ୍ଗବାଡ଼ି,୮/୪ : ଦାରିଙ୍ଗବାଡି ଚାରିଛକ ଠାରେ ଯାତ୍ରୀ ବିଶ୍ରାମଗାର ସମେତ ପରିଶ୍ରାଗାର ନିର୍ମାଣ ନିମନ୍ତେ ଦାରିଙ୍ଗବାଡ଼ିର ଆଞ୍ଚଳିକ ମହିଳା ସଂଘ ଦାବି କରିଛନ୍ତି । ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡି ହୋଇଥିବା ସହ ଦାରିଙ୍ଗବାଡ଼ି ବ୍ଲକର ୨୫ ଗୋଟି ପଞ୍ଚାୟତର ମୁଖ୍ୟସ୍ଥଳ ଅଟେ। ୧୯୮୯ ମସିହାରେ ଚାରିଛକ ଠାରେ ବିଶ୍ରାମଗାର ଥିଲା। ବିଶ୍ରାମଗାର ଭାଙ୍ଗିଯିବା ପରଠାରୁ ଆଜି ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମଗାର ସହ ପରିଶ୍ରାଗାରର ସୁବିଧା ନାହିଁ । ବିଶ୍ରାମଗାର ନିମନ୍ତେ ତିନି ବର୍ଷ ପୂର୍ବରୁ ଅନୁଦାନ ଟଙ୍କା ଆସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ହୋଇପାରୁନାହିଁ । ଅନୁଦାନ ଟଙ୍କା ପଡ଼ିରହିଛି । ନିର୍ମାଣ ହେବାକୁ ଥିବା ଜମିରେ ବିବାଦ ରହିଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନାହିଁ । ଦିନ କୁ ଦିନ ଲୋକଙ୍କ ସମସ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବିଶ୍ରାମଗାର ଓ ପରିଶ୍ରାଗାରର ନିହାତି ଆବଶ୍ୟକ ରହିଛି । ଏହାକୁ ନଜରରେ ରଖି ଦାରିଙ୍ଗବାଡ଼ି ଆଞ୍ଚଳିକ ମହିଳା ସଂଘ ଏନେଇ ଏକ ଶୋଭାଯାତ୍ରା କରିବା ସହ ଏକ ଦାବି ପତ୍ର ଦାରିଙ୍ଗବାଡ଼ି ତହସିଲଦାର ଚାର୍ଲେସ ନାୟକ ଙ୍କୁ ଦେଇଛନ୍ତି । ମହିଳା ମାନେ ଚାରିଛକ ଠାରୁ ତହସିଲ କାର୍ଯ୍ୟଳୟକୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ପୁଣି ଚାରିଛକ ନିକଟ ଜମିରେ ପହଂଚିଥିଲେ । ବାରମ୍ବାର ଅଭିଯୋଗ ହେଉଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଶ୍ରାମଗାର ହୋଇପାରୁନଥିବା ନାରୀନେତ୍ରୀ ବିଲାସିନି ନାୟକ ଅଭିଯୋଗ କରିଛନ୍ତି । ଯଦି ଯଥାଶୀଘ୍ର ଏହି ଜମିରେ ବିଶ୍ରାମଗାର ନହୁଏ ତାହାଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବା ସହ ରାଜରାସ୍ତା ବନ୍ଦ କରାଯିବ ବୋଲି ମହିଳା ସଂଘ ଚେତେଇ ଦେଇଛି । ଏନେଇ ଆଗାମୀ ୧୧ ତାରିଖରେ ଆଞ୍ଚଳିକ ମହିଳା ସଂଘ ସହ ତହସିଲଦାର ଆଲୋଚନା କରିବେ ବୋଲି ପ୍ରତିସୃତି ଦେଇଥିଲେ । ଏହି ଶୋଭାଯାତ୍ରାରେ ନାରୀନେତ୍ରୀ ସୋନାଲି ପ୍ରଧାନ, ସିମଲାରାଣୀ ପଡ୍ରା, ରିତା ମଳିକ, ଜ୍ୟୋଷ୍ଣା ଦିଗାଲ, ଭାନୁମତି ମଲିକ ସମେତ ବହୁ ମହିଳା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.