ବଣେଇ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା କୋଇଡା ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…

କୋଇଡ଼ା ଆଇପିୟୁ କେନ୍ଦ୍ରରେ ବ୍ୟାଟେରିଚାଳିତ ଗାଡ଼ି ଉଦଘାଟନ
• କୋଇଡ଼ା ଅଞ୍ଚଳର ଶ୍ରମିକମାନଙ୍କୁ ସୁରକ୍ଷା କିଟ୍ ବଣ୍ଟନ
• ଚାଷ ଜମିକୁ ଜଳସେଚନ ପାଇଁ ଉଠାଜଳସେଚନ ପ୍ରକଳ୍ପ ଉଦଘାଟନ
• ୫ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା

ସୁନ୍ଦରଗଡ଼/ରାଉରକେଲା : ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଦିନିକିଆ କୋଇଡ଼ା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ କେତେକ ନୂତନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।
ସୁନ୍ଦରଗଡ଼ର ଖଣି ଅଞ୍ଚଳ ଏବଂ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ‘ସୁରକ୍ଷା କିଟ୍’ ଯୋଗାଇ ଦିଆଯାଉଛି। ଟେନସାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଯୋଗଦେଇ କୋଇଡ଼ା ଅଞ୍ଚଳର ଶ୍ରମିକମାନଙ୍କୁ ସୁରକ୍ଷା କିଟ୍ ବଣ୍ଟନ କରିଥିଲେ।
ଏହି କିଟ୍ ବଣ୍ଟନ ଫଳରେ କୋଇଡ଼ା ଅଞ୍ଚଳର ୭୦୦ରୁ ଅଧିକ ଶ୍ରମିକ ଉପକୃତ ହେବେ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଦିଆଯାଉଥିବା ଏହି କିଟରେ ସୁରକ୍ଷା ଜ୍ୟାକେଟ୍, ହେଲମେଟ, ଚଷମା ଓ ପ୍ରଦୂଷଣ ମୁକାବିଲା ପାଇଁ ମାସ୍କ ଆଦି ରହିଛି।
ସେହିପରି ବିଧାୟକ ଏବଂ ଜିଲ୍ଲାପାଳ କୋଇଡ଼ାଠାରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନରେ ଆସି ଏଠାରେ ମିଳୁଥିବା ଅତ୍ୟାଧୁନିକ ସେବା ସମ୍ପର୍କରେ ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକ ଏକ ବ୍ୟାଟେରି ଚାଳିତ ଗାଡ଼ିର ଉଦଘାଟନ କରିଥିଲେ। କେନ୍ଦ୍ରକୁ ଆସୁଥିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏହି ଗାଡ଼ି ବିଶେଷ ଭାବେ ସହାୟକ ହୋଇପାରିବ।
ଚାଷ ଜମିକୁ ଜଳସେଚନର ସୁବିଧା ପାଇଁ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ଅବସରରେ କୋଇଡ଼ା ବ୍ଲକର ସୋୟାମ୍ବାଠାରେ ନୂଆକରି ତିଆରି ହୋଇଥିବା ପ୍ରକଳ୍ପର ଉଦଘାଟନ କରାଯାଇଥିଲା।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ବିଧାୟକ ଏବଂ ଜିଲ୍ଲାପାଳ କୋଇଡ଼ା ବ୍ଲକର ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଜାମୁଡିହିସ୍ଥିତ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର ଆଦି ବୁଲି ଦେଖିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।
ତା’ଛଡ଼ା କୋଇଡ଼ା ମହାବିଦ୍ୟାଳୟରେ ନୂଆକରି ନିର୍ମାଣ କରାଯାଇଥିବା ଶ୍ରେଣୀଗୃହ ଉଦଘାଟନ କରିବା ସହ ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ‘ସୁଦକ୍ଷ’ କେନ୍ଦ୍ର ଉଦଘାଟନ କରିଥିଲେ।
ଟେନସାଠାରେ ନିର୍ମାଣାଧୀନ ଆଧୁନିକ ଟ୍ରକ ପାର୍କିଂ ସ୍ଥଳ, କୋଇଡ଼ାଠାରୁ କୋଲେଇପୋଷ ପର୍ଯ୍ୟନ୍ତ ଚାଲିଥିବା କଂକ୍ରିଟ୍ ରାସ୍ତାର ନିର୍ମାଣ କାର୍ଯ୍ୟ, କୋଦୋଡିହାଠାରେ ନିର୍ମାଣାଧୀନ ଖେଳପଡ଼ିଆ, କୋଇଡ଼ାଠାରେ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ, କମରପୋଷସ୍ଥିତ ୱାଡି ପ୍ରକଳ୍ପ ଏବଂ ନିର୍ମାଣାଧୀନ ସେତୁର ଅଗ୍ରଗତି ସମୀକ୍ଷା କରିଥିଲେ।
ଏହି ଗସ୍ତ ବେଳେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ କୁମାର ନାଏକ, କୋଇଡ଼ା ତହସିଲଦାର ଡି ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜଙ୍କ ସହିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.