ଇଡି କାର୍ଯ୍ୟାନୁଷ୍ଠାନ ‘ମରାଠୀ ମାନୁସ୍‌’ ଉପରେ ଆକ୍ରମଣ: ରାଓ୍ଵତ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଶିବସେନା ସାଂସଦ ସଞ୍ଜୟ ରାଓ୍ଵତ୍‌ ଓ ତାଙ୍କ ସଂପର୍କୀୟଙ୍କ ସମ୍ପତ୍ତିକୁ ଜବତ କଲାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ରାଓ୍ଵତ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟବିତ୍ତ ‘ମରାଠୀ ମାନୁସ’ଙ୍କ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି ଏବଂ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ସେ କାପୁରୁଷ ନୁହନ୍ତି ଯେ ଏପରି ପଦକ୍ଷେପ ଦ୍ୱାରା ସେ ଡରିଯିବେ। ଏବଂ ତାଙ୍କୁ ଚାପ ପକାଇବା ପାଇଁ ହେଉଥିବା କୌଣସି କାର୍ଯ୍ୟକୁ ପ୍ରତିରୋଧ କରିବେ ନାହିଁ।
ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିବସେନା ସାଂସଦ ରାଓ୍ଵତ ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ଏଜେନ୍‌ସିର ଅଧିକାରୀଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଗଠନ କରିବା ଦିନ ହିଁ ଇଡି ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତ ମାସରେ ରାଜ୍ୟସଭା ସାଂସଦ ରାଓ୍ଵତ ଅଭିଯୋଗ କରିଥିଲେ ଯେ କିଛି ଇଡି ଅଧିକାରୀ ଏକ ଦାଦାବଟି ଆଦାୟ ରାକେଟ ଚଳାଇଛନ୍ତି। ରାଓ୍ଵତ କହିଛନ୍ତି ଯେ ତାଙ୍କ ବିରୋଧରେ ଇଡିର ଏହା ଏକ ପ୍ରତିଶୋଧ ପରାୟଣ କାର୍ଯ୍ୟ। ତାଙ୍କ ବିରୋଧରେ ଏଜେନ୍‌ସିର ଏ ପ୍ରକାର କାର୍ଯ୍ୟ କୌଣସି ଯୌକ୍ତିକତା ବା ଗ୍ରହଣୀୟତା ନାହିଁ।
ଆର୍ଥିକ ଅପରାଧ ଅନୁସନ୍ଧାନ ଏଜେନ୍‌ସି (ଇଡି) ଦ୍ୱାରା କାର୍ଯ୍ୟାନୁଷ୍ଠାନ ପରେ ଶିବସେନା ନେତା ରାଓ୍ଵତ କହିଛନ୍ତି ଏହା ‘ଅସତ୍ୟମେବ ଜୟତେ’ (ମିଥ୍ୟା ବିଜୟ ହୋଇଛି)। ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଏମଭିଏ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହେଉଥିବା ଉଦ୍ୟମକୁ ସମର୍ଥନ କରୁ ନଥିବାରୁ ଶିବସେନାର ପୂର୍ବତନ ସହଯୋଗୀ ବିଜେପି ତାଙ୍କୁ ଟାର୍ଗେଟ କରୁଛି। ସେନା ନେତୃତ୍ୱାଧୀନ ମହା ବିକାଶ ଅଘଦି ସରକାରରେ ମଧ୍ୟ କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ରହିଛି। ମୋ କାରଣରୁ ତୁମର (ବିଜେପି) ସରକାର ଗଠନ ହୋଇପାରିଲା ନାହିଁ। ବର୍ତ୍ତମାନ ମୁଁ ସରକାରଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥନ କରୁନାହିଁ। ତେଣୁ, ମୋ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଏହା ଏକ ପ୍ରୟାସ। କିନ୍ତୁ, ମୁଁ ଡରିଯିବି ନାହିଁ ବରଂ ଏହାର ମୁକାବିଲା କରିବି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.