ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣା: ବିଜେପି ନେତା ଗିରଫ

ଜୟପୁର: ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ଆଜି ରାଜସ୍ଥାନର ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ଗିରଫ ବିଜେପି ନେତା ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ଗୋଠୱାଲ। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଏହି ବିଜେପି ନେତା ଜଣଙ୍କ ହିଁ ଡାକ୍ତର ଅର୍ଚ୍ଚନାଙ୍କ ବିରୋଧରେ ବିକ୍ଷୋଭ କରିବାକୁ ଲୋକଙ୍କୁ ଉସକାଇଥିଲେ। ଏହି କାରଣରୁ ଡାକ୍ତର ଅର୍ଚ୍ଚନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ତେଣୁ ପୁଲିସ୍ ତାଙ୍କୁ ଆଜି ଗିରଫ କରିଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ୍‌ ବାନ୍ଧିଛି।
ମଙ୍ଗଳବାର ଡାକ୍ତର ଅର୍ଚ୍ଚନାଙ୍କ ହସ୍ପିଟାଲରେ ଜଣେ ଗର୍ଭବତୀ ନିଜ ଶିଶୁକୁ ଜନ୍ମ ଦେବା ପରେ ପ୍ରାଣ ହରାଇଥିଲେ। ଏହାପରେ ପରିବାର ଲୋକ ଓ ସ୍ଥାନୀୟ ବିଜେପି ନେତାଙ୍କ ସମର୍ଥକମାନେ ଏକାଠି ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଥିଲେ। ବିକ୍ଷୋଭ ବଢ଼ିବାରୁ ପୁଲିସ୍‌ ବାଧ୍ୟହୋଇ ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ୩୦୨ ଦଫାରେ ମାମଲା ମଧ୍ୟ କରିଥିଲା। ଏଥିରେ ଭାଙ୍ଗିପଡ଼ି ବୁଧବାର ସେ ଆତ୍ମହତ୍ୟା କରିଥିଲେ।
ତେବେ ସୁଇସାଇଡ ନୋଟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ନୀରିହ ଡାକ୍ତରମାନଙ୍କୁ କେହି ବି ହଇରାଣ ନ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ। ତାଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଏହି ଘଟଣାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଥିଲା।
ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶକ୍ରମେ ଦୌସା ଏସପି ଅନୀଲ କୁମାରଙ୍କୁ ବଦଳି କରାଯାଇଛି। ସେହିପରି ଷ୍ଟେସନ ହାଉସ୍ ଅଫିସର ଅଙ୍କେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି। ଜୟପୁରର ଡିଭିଜନାଲ କମିଶନର ଦିନେଶ କୁମାର ଯାଦବଙ୍କୁ ଘଟଣାର ପ୍ରଶାସନକି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଆଗକୁ ଏଭଳି ଘଟଣାକୁ କେମିତି ରୋକାଯାଇ ପାରିବ, ତା’ ଉପରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଗୋଟିଏ କମିଟି ଗଠନ କରିବାକୁ କହିଛନ୍ତି।

nis-ad
Leave A Reply

Your email address will not be published.