ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ: ପ୍ରଭାବିତ ହେବ ଏହି ସବୁ ସେବା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ଏକ ବୈଠକ ପରେ ଟ୍ରେଡ ୟୁନିଅନଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ରର କର୍ମୀ ବିରୋଧୀ, କୃଷକ ବିରୋଧୀ, ସାଧାରଣ ଜନତା ବିରୋଧୀ ତଥା ଜାତୀୟ ବିରୋଧୀ ନୀତିକୁ ବିରୋଧ କରିବେ। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିଅନଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି।
ଟ୍ରେଡ ୟୁନିଅନର ଏକ ବିବୃତିରେ କୁହାଯାଇଛି ଯେ ସଡ଼କପଥ, ପରିବହନ କର୍ମଚାରୀ ଏବଂ ବିଦ୍ୟୁତ କର୍ମଚାରୀ ମଧ୍ୟ ଏହି ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେଳବାଇ ଏବଂ ପ୍ରତିରକ୍ଷା କ୍ଷେତ୍ରର ୟୁନିଅନମାନେ ଶହ ଶହ ସ୍ଥାନରେ ଏହି ଧର୍ମଘଟକୁ ସମର୍ଥନ କରି ଜନସମାଗମ କରିବେ ବୋଲି ବିବୃତିରେ ଦର୍ଶାଯାଇଛି। କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ, ଆୟକର ଏବଂ ବୀମା ଭଳି ବିଭିନ୍ନ କ୍ଷେତ୍ରର କର୍ମଚାରୀମାନେ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.