ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ: ଜେଲେନସ୍କି

ନୂଆଦିଲ୍ଲୀ: ଚାହୁଁ ଚାହୁଁ ୩୨ଦିନ ବିତିଲାଣି। ହେଲେ ଶେଷ ହୋଇନି ଯୁଦ୍ଧ। ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୟୁକ୍ରେନର ଛାତିକୁ କ୍ଷତବିକ୍ଷେତ କରିଚାଲିଛି ରୁଷ। ଏବେ ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଥରେ ପାଶ୍ଚାତ୍ୟ ରାଷ୍ଟ୍ରକୁ ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ ‌ବୋଲି ସେ କହିଛନ୍ତି।
ତାଙ୍କ କହିବା ମୁତାବକ, “ମୁଁ ଆଜି ମାରିୟୁପୋଲରେ ରହି ଲଢ଼ୁଥିବା ରକ୍ଷକଙ୍କ ସହ କଥା ହୋଇଛି। ମୁଁ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ସେମାନଙ୍କର ନିଷ୍ଠା, ବୀରତ୍ୱ ଏବଂ ଦୃଢ଼ତା ଆଶ୍ଚର୍ଯ୍ୟଜନକ। ସେମାନେ ୩୨ଦିନ ଧରି ରୁଷ ସେନାର କ୍ରୁରତା ସହି ଆକ୍ରମଣର ସାମ୍ନା କରୁଛନ୍ତି। ପ୍ରତିଟି ସେକେଣ୍ଡ ସେମାନଙ୍କ ପାଇଁ ଗୁରୁତ୍ବ ରଖୁଛି। ଏତେ ସବୁ ହେବା ଦେଖିବା‌ ପରେ ବି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସାହାଯ୍ୟ କରୁନାହିଁ। ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର କିଭଳି ଯୁଦ୍ଧ ବିମାନ ଓ ଟ୍ୟାଙ୍କ ଦେବ ବୋଲି ଚିନ୍ତା କରୁଛି। ଏଭଳି ସ୍ଥିତିରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ।
ଏହା ପୂର୍ବରୁ ଜେଲେନସ୍କି ନାଟୋକୁ ସମାଲୋଚନା କରିଛନ୍ତି। ୟୁକ୍ରେନକୁ ନାଟୋରେ ସାମିଲ ନକରିବା ପରେ, ୟୁକ୍ରେନ୍‌କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନୁହେଁ। ସେ ମଧ୍ୟ ୟୁକ୍ରେନ୍‌ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍‌ କରୁ ନାହାନ୍ତି ବୋଲି କହିଥିଲେ ଜେଲେନସ୍କି।

nis-ad
Leave A Reply

Your email address will not be published.