ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍‌

କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରିଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍‌ରେ (ଏଫ୍‌ଆର୍‌ପି) ପ୍ରସ୍ତୁତ ବୋଟ୍‌ରେ ଇଞ୍ଜିନ୍ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର‌୍ୟ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ ‘ଭାନିକ’ ରଖାଯାଇଛି । ଏହି ବୋଟରେ ୮ଜଣ ବସି ପାରିବେ ।

ଏହାର ଲମ୍ବ ସାଢ଼େ ୫ ମିଟର । ବୋଟ୍‌ଟି କୋଚିରୁ ଆସିଥିବା ବେଳେ ଇଞ୍ଜିନ୍ ଚେନ୍ନାଇରୁ ଓ ବ୍ୟାଟେରୀ କୋଲକତାରୁ ଅଣାଯାଇଛି । ୨୦ ହର୍ସ ପାୱାର୍ ବିଶିଷ୍ଟ ଏହି ବୋଟ୍‌ଟି ୪ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଥାଏ । ଏହା ଉଭୟ ବିଦ୍ୟୁତ୍ ଏବଂ ସୌରଶକ୍ତିରୁ ଚାର୍ଜ ହୋଇପାରିବ। ପ୍ରତି ଘଣ୍ଟାକୁ ୧୦ରୁ ୧୮ କିମି ବେଗରେ ଚାଲି ପାରିବ । ସବୁଠୁ ବଡ଼ କଥା ହେଲା ବୋଟ୍‌ଟି ଶବ୍ଦବିହୀନ । ଫଳରେ ଜଳଚର ଜୀବଙ୍କ ବିଚରଣରେ ଏହା ବାଧକ ସାଜିବ ନାହିଁ ବୋଲି ବୋଟ୍‌କୁ ଉଦ୍‌ଘାଟନ କରିବା ଅବସରରେ ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଉଦ୍‌ଘାଟନ ଉତ୍ସବରେ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ, ରାଜନଗର ରେଞ୍ଜ୍ ଅଫିସର ଧନେଶ୍ୱର ରଥ, ଗହୀରମଥା ରେଞ୍ଜ୍ ଅଫିସର ଦେବାଶିଷ ଭୋଇ ଉପସ୍ଥିତ ଥିଲେ ।
ସୂଚନାଥାଉକି, ପୂର୍ବରୁ ଭିତରକନିକାରେ ଡିଜେଲ ଚାଳିତ ବୋଟ୍ ଚାଲୁଥିଲା । ଏହାବାଦ୍ ଗତବର୍ଷଠୁ ୫ଟି ପେଟ୍ରୋଲ ଚାଳିତ ବୋଟ୍ ଚଳାଚଳ କରୁଛି । ଡିଜେଲ ଓ ପେଟ୍ରୋଲ ବୋଟ୍ ପରିବେଶ ପ୍ରଦୂଷଣ କରୁଛି । ଏଥିସହ ତୈଳଦର ବୃଦ୍ଧି ଯୋଗୁଁ ପର‌୍ୟ୍ୟଟକଙ୍କୁ ବୋଟ ଭଡ଼ା ବୃଦ୍ଧି ବାଧୁଥିଲା । କିନ୍ତୁ ବ୍ୟାଟେରିଚାଳିତ ବୋଟ୍ ଚଳାଚଳ କଲେ ଭଡ଼ା କମିବ ଓ ପର‌୍ୟ୍ୟଟକଙ୍କୁ ଏହା ବେଶ୍ ସୁହାଇବ ବୋଲି ଆଶା କରାଯାଉଛି ।

nis-ad
Leave A Reply

Your email address will not be published.