ମାନସ ସ୍ୱାଇଁ ହତ୍ୟା ଘଟଣା: ଦୁଇ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କହିଲେ ମାନସଙ୍କ ପତ୍ନୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏକ ୱେବ୍ ପୋର୍ଟାଲ୍‌ରେ କାର୍ଯ୍ୟରତ ରଣପୁରର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଏବେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଗତକାଲି ଏ ମାମଲାରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ଓଆସି ନିରଞ୍ଜନ ସେଠୀ ଏବଂ ରଞ୍ଜନ ନାୟକ ଗିରଫ ହୋଇଥିବା ଭଦ୍ରକ ଆଡିସ୍‌ନାଲ୍ ଏସ୍‌ପି ସୂଚନା ଦେବା ପରେ ଆଜି ଏନେଇ ମୁହଁ ଖୋଲିଛନ୍ତି ମୃତ ମାନସଙ୍କ ପତ୍ନୀ ।

ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି । ଖାଲି ଏତିକି ନୁହେଁ ଏ ମାମଲାରେ ଆହୁରି ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତି ସମୂହ ମଧ୍ୟ ଜଡ଼ିତ ଥିବା ମାନସଙ୍କ ପରିବାର ଲୋକେ ଅଭିଯୋଗ ଉଠାଇଛନ୍ତି । ସେପଟେ ଶର୍ମିଷ୍ଠା ମୋ’ ପୁଅକୁ ମାରିଦେଲା ବୋଲି ତାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି । ଚିପ୍‌ରେ ଶର୍ମିଷ୍ଠାଙ୍କର କିଛି କଳାକାରନାମା ଥିବାରୁ ସବୁଦିନ ପାଇଁ ମୋଠୁ ମୋ ପୁଅକୁ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’ । ସେହିପରି ପୁଲିସ୍ ଏହାର ଖିଅ ନଖୋଲି ପାରିଲେ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ତାଙ୍କ ଭାଇ ଦାବି କରିଛନ୍ତି ।
ଅପରପକ୍ଷେ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି ଯେ, ପ୍ରଥମେ ଶର୍ମିଷ୍ଠାଙ୍କୁ ଅଟକ ରଖା ଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ଓଡ଼ିଶା ବାହାରେ ୩ ଟିମ୍ ଏବଂ ଓଡ଼ିଶା ଭିତରେ ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ସେହିପରି ନିରଞ୍ଜନ ଗିରଫ ହେବା ପରେ ତାଙ୍କ କଲ୍ ଡିଟେଲ୍ସରୁ ଆଉ ଏକ ନୂଆ ତଥ୍ୟ ମଧ୍ୟ ସାମ୍‌ନାକୁ ଆସିଛି । ମାନସ ନିଖୋଜ ହେବା ପରେ ଶର୍ମିଷ୍ଠା ନିରଞ୍ଜନ ସହ ଦିନକୁ ପ୍ରାୟ ୩୦ ଥର କଥା ହେଉଥିଲେ । ଏହାସହ ଶର୍ମିଷ୍ଠାଙ୍କ ଓକିଲ ପକ୍ଷରୁ ଆଜି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ଖାରଜ କରି ଦେଇଛନ୍ତି କୋର୍ଟ ।

nis-ad
Leave A Reply

Your email address will not be published.