ହସ୍ପିଟାଲରେ ଅଙ୍ଗ ଚୋରି ହେଉଥିବା ନେଇ ଅଭିଯୋଗ ଆଣିଲେ ପରିବାର

କଟକ : ମଣିଷ ଶରୀରର ଅଙ୍ଗ କେତେ ଯେ ମୂଲ୍ୟବାନ ତାହା ସମସ୍ତଙ୍କୁ ଜଣା । ଏନେଇ କିଛି ହସ୍ପିଟାଲରେ ଅଙ୍ଗ ଚୋରି ହେଉଥିବା ଖବର ମଧ୍ୟ ଆପଣମାନେ ଶୁଣିଥିବେ । ତେବେ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ଏମିତି ସଙ୍ଗୀନ ଅଭିଯୋଗ । କଟକର ଏକ ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ହୋଇଥିବା ନେଇ ହୋଇଛି ଅଭିଯୋଗ ।

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀକୁ ନେଇ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ତୁମୁଡିବନ୍ଧ ଥାନା ଅଞ୍ଚଳର ଏକ ଲୁହା ବୋଝେଇ ଟ୍ରକର ଲୁହା ଛଡ଼ ବାଜିବା ଫଳରେ ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପ୍ରଥମେ ତୁମୁଡିବନ୍ଧ ହସ୍ପିଟାଲ ଆଉ ତାପରେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କୌଣସି କାରଣବଶତଃ ତାଙ୍କର ଚିକିତ୍ସା ହୋଇପାରିନଥିଲା ।

ଏହା ପରେ ପରିବାର ଲୋକେ କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଏକ ଲକ୍ଷ ଦଶ ହଜାର ଟଙ୍କା ଡିପୋଜିଟ୍  କରିବା ପରେ ହିଁ ଚିକିତ୍ସା କରାଯିବ ବୋଲି କହିଥିଲେ । ଟଙ୍କା ଜମା କରିବାର କିଛି ସମୟ ପରେ ଡାକ୍ତର ବାବୁଲା ଦିଗାଳଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ହସ୍ପିଟାଲ କତ୍ତୃପକ୍ଷ ପରିବାର ଲୋକଙ୍କୁ ମୃତ ଦେହକୁ ଗାଁକୁ ନେଇଯିବାକୁ ବାଧ୍ୟ କରି ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ପଠାଇ ଦେଇଥିଲେ । ଗାଁ ଆସିବା ସମୟରେ ପରିବାର ଲୋକେ ତାଙ୍କ ମୁଣ୍ଡ ଚିକିତ୍ସା ବଦଳରେ ତଳି ପେଟ କଟା ଯାଇଥିବା ଦେଖିବାକୁ ପାଇଥିଲେ । ପରିବାର ଓ ଗାଁ ଲୋକଙ୍କ ସହମତିରେ ଗାଁ ମଶାଣୀରେ ତାଙ୍କ ମୃତଦେହକୁ କବର ଦିଆଯାଇଥିଲା । କିନ୍ତୁ ପୁଣି ଥରେ ସନ୍ଦେହ ହେବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେଣୁ ଆଜି ପୁଣି ଥରେ ପୋଲିସ ମଶାଣୀରୁ କବର ଖୋଳି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏ ନେଇ ବାଲିଗୁଡା ଥାନାରେ ୨୭୫/୨୪ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ତେବେ ଏନେଇ ହସ୍ପିଟାଲ ମ୍ୟାନେଜର ସୁଶାନ୍ତ ବେହେରା  କହିଛନ୍ତି ଯେ ସେଭଳି କୌଣସି ଅଙ୍ଗ ତସ୍କରୀ ହୋଇନାହିଁ । ଦୁର୍ଘଟଣାରେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୁଣ୍ଡର ସ୍କଲ ନଷ୍ଟ ନ ହେବା ପାଇଁ ତାକୁ ପେଟରେ ରଖା ଯାଇଥିଲା ଓ ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ ପାଇଁ ପରିବାର ଲୋକ ସହଯୋଗ ନକରିବାରୁ ଆମେ ତାଙ୍କୁ ଘରକୁ ପଠେଇ ଦେଇଥିଲୁ ।

ତେବେ ଏ ସମ୍ପର୍କିତ ଖବର ପାଇବା ପରେ ଘରୋଇ ହସ୍ପିଟାଲକୁ ଯାଇ ପଚରା ଉଚରା ଆରମ୍ଭ କରିଛି କଟକ ସଦର ଥାନା ପୋଲିସ । ଦୁର୍ଘଟଣାରେ ଆହତ ବ୍ୟକ୍ତି ଚିକିତ୍ସା ପାଇଁ ଭର୍ତ୍ତି ହେଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଲେ, ସ୍ଥାନୀୟ ଥାନାକୁ ଅବଗତ କରାଇବାର ନିୟମ ରହିଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କେବଳ ଆଡମିଟ ହେବା ସମୟରେ ଥାନାରେ ଜଣାଇଥିଲେ ଏବଂ ମୃତ୍ୟୁ ଘଟିବା ପରେ ଥାନାକୁ ଅବଗତ କରି ନଥିଲେ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ନିୟମ ଉଲ୍ଲଘଂନ ପାଇଁ କ୍ଲିନିକାଲ ଆକ୍ଟ ଅଧିନରେ ଥିବା ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି ।

nis-ad
Leave A Reply

Your email address will not be published.