କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଳିଲେ ପଖାଳ ଦିବସ

ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ପୁଅ ଭାବେ ନିଜ ବାସଭବନରେ ପଖାଳ ଖାଇ ଏହି ଦିବସକୁ ଆନନ୍ଦର ସହ ପାଳିଛନ୍ତି ଧର୍ମେନ୍ଦ୍ର । ଏହାସହ ପଖାଳ ତାଙ୍କର କେତେ ପ୍ରିୟ ତାହା ଫଟୋ ସେୟାର କରି ଜଣାଇଛନ୍ତି ଧର୍ମେନ୍ଦ୍ର । ପଖାଳ କଂସାଏ ସହ ଓଡ଼ିଆଙ୍କ ପ୍ରିୟ ବଡି ଚୁରା, ଶାଗ, କୋବି ଭଜା ସହ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ମଜା ଉଠାଇଥିଲେ ଧର୍ମେନ୍ଦ୍ର ।

ଆଉ ପଖାଳ ଖାଇ ଧର୍ମେନ୍ଦ୍ର ବେଶ ଖୁସିଥିବା ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି , ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ପଖାଳର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ । ଆଉ ଏହାସହ ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ।

ଦିଲ୍ଲୀରୁ ପଲ୍ଲୀ ଆଜି ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ପଖାଳର କ୍ରେଜ ଦେଖିବାକୁ ମିଳିଛି । କାରଣ ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଯେହେତୁ ଏବେ ଖରାଦିନ ଆସିଲାଣି ତେଣୁ ପଖାଳର ଆଦର ମଧ୍ୟ ବେଶ ବଢିଯାଇଛି । କାରଣ ଧୁ ଧୁ ଖରାବେଳେ ପଖାଳ ତୋରାଣୀ ଟିକେ ତୁଣ୍ଡରେ ଲାଗିଗଲେ ଭାରି ଶାନ୍ତି ମିଳେ । କୃଷି ପ୍ରଧାନ ଆମ ରାଜ୍ୟରେ ଚାଷୀଭାଇ ବିଲରେ କାମ କଲାବେଳେ ଘରୁ ପହଂଚି ଯାଏ ପଖାଳ କଂସା । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ ।ତେବେ ଏହି ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ରୁ ମାର୍ଚ୍ଚ ୨୦ ତାରଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି । ଓଡ଼ିଶା ଓ ଓଡ଼ିିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଲାଗି ହୁଏ । ପଖାଳ ଶବ୍ଦଟି ପାଲି ଭାଷାର ପଖାଳିବା ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଧୋଇବା । ଖାଲି ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ମଧ୍ୟ ପଖାଳର ବେଶ ଚାହିଦା ରହିଛି । ସାରାବିଶ୍ୱରେ ଥିବା ଓଡିଆମାନେ ଆଜିର ଦିନରେ ପଖାଳ ଖାଇ ଏହାକୁ ବେଶ ଆଡମ୍ବରରେ ପାଳନ କରୁଛନ୍ତି । ପଖାଳ ସହିତ ବିଭିନ୍ନ ପାରପମ୍ପରିକ ଓଡିଆ ଖାଦ୍ୟ ମେନ୍ୟୁରେ ସ୍ଥାନ ପାଉଛି । ହୋଟେଲ ଓ ରେଷ୍ଟୁରାଂଟ ଗୁଡିକ ମଧ୍ୟ ଏହି ଦିନରେ ସ୍ୱତନ୍ତ୍ର ପଖାଳ କଂସାକୁ ମେନ୍ୟୁରେ ସ୍ଥାନ ଦେଉଛନ୍ତି ।

nis-ad
Leave A Reply

Your email address will not be published.