ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ବିରୋଧରେ ବିଧାୟକଙ୍କ ଥାନା ଘେରାଉ

ଜୟପୁର: ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଜଣେ ଯୁବକଙ୍କୁ ମାଡ଼ ମାରି ଗୁରୁତର କରିବା ଏବଂ ସମ୍ପୃକ୍ତ ଯୁବକ ଜଣକ ପ୍ରଥମେ ଜୟପୁର ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗରେ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଦଳୀୟ କର୍ମୀମାନେ ଏନ୍‌ଏଚ୍ ଅବରୋଧ କରିଛନ୍ତି ।

ତାରାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ପ୍ରଥମେ ଥାନାକୁ ଏ ସମ୍ପର୍କରେ ସୂଚନା ଦିଆଯାଇ ଥାନା ଘେରାଉ କରାଯିବା ପରେ ଦଳୀୟ କର୍ମୀ ଏବଂ ସ୍ଥାନୀୟ ଲୋକେ ଏନ୍‌ଏଚ୍ ଅବରୋଧ କରିଛନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ତାରା ନିଜେ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଛନ୍ତି । ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
ତେବେ ତାରାଙ୍କ କହିବାନୁସାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କେତେକ ସମ୍ବେଦନଶୀଳ ବୁଥ୍‌ରେ ଦୁର୍ବୃତ୍ତମାନେ ମାଉଜର୍ ଧରି ବୁଲୁଥିଲେ । ସେମାନଙ୍କୁ ଶ୍ରୀବାହିନୀପତି ତାଗିଦ୍ କରିବା ସହ ସ୍ଥାନୀୟ ପୁଲିସ୍‌କୁ ମଧ୍ୟ ସୂଚନା ଦେଇଥିଲେ । ହେଲେ ବିଧାୟକ ତାରାଙ୍କୁ ଦୁର୍ବୃତ୍ତମାନେ ଓଲଟା ଧମକ ଦେବା ସହ ଗୋଟିଏ ଗୁଳି ତୁମ ନାଁରେ ଅଛି ବୋଲି କହିଥିଲେ । ଏହାସହ ସେ କହିଛନ୍ତି ଯେ, ଜୟପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି ଏବଂ ଗୃହ ବିଭାଗର ନିଜେ ବିଭାଗୀୟ ମୁଖ୍ୟ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସେ ବାର୍ତ୍ତା ଦେବା ସହ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । କେବଳ ହେଲିକପ୍ଟର୍‌ରେ ବୁଲିଲେ ହେବ ନାହିଁ, ଘଟଣାସ୍ଥଳକୁ ଆସି ଲୋକଙ୍କ ଠାରୁ ନିଜେ ପରିସ୍ଥିତି ଅନୁଧ୍ୟାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାସହ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗ ସଚିବଙ୍କୁ ମଧ୍ୟ ଧାରଣାସ୍ଥଳରୁ ବାର୍ତ୍ତା ଦେଇ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।
ସେପଟେ ଏ ଘଟଣାରେ ୫ ଜଣଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବିଷୟରେ ସୂଚନା ମିଳିଛି । ସେମାନେ ହେଲେ ପ୍ରିନ୍ସ ଏବଂ ସୁନା । ଏ ଘଟଣାରେ ପୁଲିସ୍ ଏକ ସ୍କର୍ପିଓ ଓ କେତେକ ବାଇକ୍ ଜବତ କରିଥିବା ସୂଚନା ଦେଇଥିବା ବେଳେ ଏଥିରେ ଜଡ଼ିତ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ।
ସୂଚନାଯୋଗ୍ୟ ଶେଷ ହୋଇ ଯାଇଥିବା ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ଜୟପୁର କୁମୁଲିପୁଟ ଠାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଯୁବକମାନେ ଫେରାର୍ ହୋଇ ଯାଇଛନ୍ତି । କୁମୁଲିପୁଟରୁ ସମ୍ପୃକ୍ତ ଯୁବକଙ୍କୁ ସ୍ଥାନୀୟଲୋକଙ୍କ ସହାୟତାରେ ପ୍ରଥମେ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.