ବକ୍ସ ଅଫିସରେ ଅବିଶ୍ଵସନୀୟ ବ୍ୟବସାୟ କରି ମାତ୍ର ୪ ଦିନରେ ସୁପର୍ ହିଟ୍ ସାବ୍ୟସ୍ତ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଚାରିଆଡେ ଆଶ୍ଚର୍ଯ୍ୟଜନକ ବ୍ୟବସାୟ କରୁଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲେ। ତେବେ ଏହି ଚଳଚ୍ଚିତ୍ରଟିକୁ ଉଭୟ ସିଙ୍ଗଲ୍ ସ୍କ୍ରିନ୍, ମଲ୍ଟିପୁଲ୍ ସ୍କ୍ରିନ୍ ଥିବା ସିନେମାଘରଗୁଡିକର ଦର୍ଶକମାନେ ପ୍ରବଳ ଭଲପାଇବା ଦେଉଛନ୍ତି।
‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ପ୍ରଥମ ଦିନ(ଶୁକ୍ରବାର)ରେ ୩.୫୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଅବିଶ୍ଵସନୀୟ ଭାବେ ତୃତୀୟ ଦିନ ‘ଦ କଶ୍ମୀର ଫାଇଲ୍ସ’ ଭାରତରେ ୧୫.୧୦ କୋଟି ଆୟ କରିଥିଲା। ଯାହାକି ପ୍ରଥମ ଦିନର ଆୟ ଠାରୁ ୩୨୫.୩୫ ପ୍ରତିଶତ ଅଧିକ। ପ୍ରଥମ ଦିନର ଆୟଠାରୁ ତୃତୀୟ ଦିନର ଆୟ ୩୨୫.୩୫ ପ୍ରତିଶତ ବଢିବା ବିଶ୍ଵର କୌଣସି ବି ସିନେମା ଇଣ୍ଡଷ୍ଟ୍ରିରେ ବିରଳ। ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ସୋମବାର କାର୍ଯ୍ୟ ଦିବସ ଥିଲେ ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’ ୧୫.୦୫ କୋଟି ଆୟ କରିଛି। ଯାହାକି ରବିବାରର ଆୟଠାରୁ ମାତ୍ର ୫ ଲକ୍ଷ କମ। ଚଳଚ୍ଚିତ୍ରଟିକୁ ଦର୍ଶକମାନେ କେତେ ମାତ୍ରାରେ ଭଲ ପାଇବା ଦେଇଛନ୍ତି ତାହା ଏଥିରୁ ଜଣାପଡୁଛି।
ସୋମବାର ୧୫.୦୫ କୋଟି ଆୟ କରି ‘ଦ କଶ୍ମୀର ଫାଇଲ୍ସ’ ଅନେକ ବହୁଚର୍ଚ୍ଚିତ, ବ୍ୟୟବବହୁଳ ଓ ତାରକାଖଚିତ ସୁପର୍ ହିଟ୍ ଓ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଛି। ରିଲିଜ୍ ହେବାର ପ୍ରଥମ ସୋମବାର ଦିନ ‘ସୂର୍ୟବଂଶୀ’ ୧୪.୫୧ କୋଟି ଆୟ କରିଥିଲା। ରିଲିଜ୍ ହେବାର ପ୍ରଥମ ସୋମବାରରେ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ୮.୧୯ କୋଟି, ‘୮୩’ ଚଳଚ୍ଚିତ୍ର ୭.୨୯ କୋଟି, ‘ତାନାଜି’ ୧୩.୭୫ କୋଟି ଓ ‘ଉରି- ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ୧୦.୫୧ କୋଟି ଆୟ କରିଥିଲେ । ହେଲେ, ‘ଦ କଶ୍ମୀର ଫାଇଲ୍ସ’ ପରି କମ ବଜେଟରେ ତିଆରି ହୋଇଥିବା, ସୀମିତ ପ୍ରୋମୋଶନ୍ ବିଶିଷ୍ଟ ଓ ବଡ ତାରକା ବିହୀନ ଚଳଚ୍ଚିତ୍ରଟି ଏପରି ସୁପର୍ ହିଟ୍ ଓ ବ୍ଲକବଷ୍ଟର ଚଳଚ୍ଚିତ୍ରର ରେକର୍ଡକୁ ଭାଙ୍ଗି ଦେଇଛି।
ଭାରତରେ ‘ଦ କଶ୍ମୀର ଫାଇଲ୍ସ’ ଚାରିଦିନରେ ମୋଟ ୪୨.୨୦ କୋଟି ଆୟ କରିଛି ଓ ମାତ୍ର ଚାରିଦିନରେ ହିଁ ସୁପର୍ ହିଟ୍ ସାବ୍ୟସ୍ତ ହୋଇଛି। ‘ଦ କଶ୍ମୀର ଫାଇଲ୍ସ’ ଯେପରି ବ୍ୟବସାୟ କରୁଛି ଖୁବ୍ ଶୀଘ୍ର ବ୍ଲକ୍-ବଷ୍ଟର୍ ଚଳଚ୍ଚିତ୍ର ମାନ୍ୟତା ପାଇବ ଏଥିରେ କୌଣସି ସନ୍ଦେହ ନାହିଁ।
‘ଦ କଶ୍ମୀର ଫାଇଲ୍ସ’ର ପ୍ରତ୍ୟେକ ଦିନର ଆୟ-
ପ୍ରଥମ ଦିନ- ୩.୫୫ କୋଟି
ଦ୍ଵିତୀୟ ଦିନ- ୮.୫୦ କୋଟି
ତୃତୀୟ ଦିନ- ୧୫.୧୦ କୋଟି
ଚତୁର୍ଥ ଦିନ- ୧୫.୦୫ କୋଟି
ମୋଟ – ୪୨.୨୦ କୋଟି (କେବଳ ଭାରତରେ)
ଏଥିରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଅଛନ୍ତି। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ।

nis-ad
Leave A Reply

Your email address will not be published.